ଭୁବନେଶ୍ୱର, ୧୫/୧୧ : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ କିଏ ହେବ , ଏହାକୁ ନେଇ ଏବେଠାରୁ ଦଳରେ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣୀ । ଏହି ଆସନରୁ ବିଜେଡିର ପ୍ରିୟଦର୍ଶୀ ମିଶ୍ର ଏବେ ବିଧାୟକ ଭାବେ ଅଛନ୍ତି । ତେବେ ଏହି ନିର୍ବାଚନ ମଣ୍ଡଳୀ ଉପରେ ନଜର ପକାଇଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା । ଉଭୟ ନେତା ଏବେ ଏହି ନିର୍ବାଚନ ମଣ୍ଡଳୀକୁ ଘନଘନ ଗସ୍ତ କରିବା ସହ କର୍ମୀ ସମ୍ମିଳନୀ ମଧ୍ୟ କରୁଛନ୍ତି । ନିଜ ସରକାରୀ ବାସଭବନରେ ମଧ୍ୟ ବୈଠକ ଉପରେ ବୈଠକ କରି ସଙ୍ଗଠନ ସଜାଡିବା ପାଇଁ କର୍ମୀମାନଙ୍କୁ କହୁଛନ୍ତି । ଯାହାକୁ ନେଇ ଏବେ ଦ୍ୱନ୍ଦରେ ପଡିଯାଇଛନ୍ତି ବିଜେଡିର କର୍ମୀମାନେ ।
ବିଜେଡିର ଏହି ଦୁଇନେତାଙ୍କର ତୃତୀୟ ମହଲାରେ ବେଶ ଦବଦବା ରହିଛି । ଜଣେ ନବୀନ ନିବାସର ହୋଇଥିବା ବେଳେ ଅନ୍ୟଜଣେ ତାମିଲ ଅଫିସରଙ୍କ ଶିବିରର । ଏପରିକି ମେୟରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କୁ ବହିଷ୍କାର ମଧ୍ୟ କରଯାଇନଥିଲା । ତେଣୁ ମେୟର ୨୦୧୯ ବିଧାନସଭା ନିର୍ବାଚନରେ ଲଢିବା ପାଇଁ ଚର୍ଚ୍ଚା ହେଉଛି । ଟିକେଟ ପାଇବା ପାଇଁ ଏହି ନେତା ଏବେ ନିଜ ନିଜ ଗଡଫାଦରଙ୍କ ନିକଟରେ ଲବି ଆରମ୍ଭ କରିଦେଇଥିବା ନେଇ ନିର୍ବାଚନମଣ୍ଡଳୀରେ ଜୋର ଧରିଛି ଚର୍ଚ୍ଚା । ତେବେ କିଏ ହେବ ବିଜେଡିର ପ୍ରାର୍ଥୀ ଏହା ଉପରେ ଏବେ ରହିଛି ସମସ୍ତଙ୍କ ନଜର ।