ଭୁବନେଶ୍ୱର,୨/୭: ସରକାରୀ ଛାତ୍ରୀ ନିବାସରେ ନାବାଳିକା ଅନ୍ତେବାସିନୀ ଗର୍ଭବତୀ ହୋଇଥିବା ଅଭିଯୋଗ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର କାର୍ଯ୍ୟ ୧୦ ମିନିଟ୍ ମୁଲତବୀ ରଖିଥିଲେ। ପରେ ବାଚସ୍ପତି ଶ୍ରୀ ପାତ୍ର ସରକାରଙ୍କୁ ଏହି ପ୍ରସଙ୍ଗକୁ ନୋଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ,ଖୋଦ୍ ସରକାରୀ ଛାତ୍ରୀ ନିବାସରେ ଏଭଳି ଗୁରୁତର ଘଟଣା ଘଟିବା ଦୁର୍ଭାଗ୍ୟଜନକ । ସରକାର ମା’କୁ ସମ୍ମାନ ଦେଉଛନ୍ତି ବୋଲି କହୁଥିବା ବେଳେ ସରକାରୀ ଛାତ୍ରୀ ନିବାସରେ ଅନ୍ତେବାସିନୀ କିପରି ଗର୍ଭବତୀ ହେଉଛନ୍ତି? ୪ ଜଣ ଗର୍ଭବତୀ ନାବାଳିକାଙ୍କ ମଧ୍ୟରୁ ଜଣଙ୍କୁ ଗାଁକୁ ପଠାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୩ ଜଣ ଗର୍ଭବତୀ ହୋଇନାହାନ୍ତି ବୋଲି ପରୀକ୍ଷା ରିପୋର୍ଟରେ ଦର୍ଶାଯାଇଛି। ଏଥିରୁ ଜଣାପଡୁଛି ସରକାର ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରୁଛନ୍ତି।
ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ତାଙ୍କ ଦ୍ୱାରା ଅଧିକୃତ ମନ୍ତ୍ରୀଙ୍କୁ ଗୃହରେ ଏକ ବିବୃତି ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଦଳୀୟ ବିଧାୟମାନେ ଏହି ଦାବିକୁ ସମର୍ଥନ କରି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାଚସ୍ପତି ଶ୍ରୀ ପାତ୍ର ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିବାରୁ ଗୃହର କାର୍ଯ୍ୟ ୧୦ ମିନିଟ୍ ମୁଲତବୀ ରଖିଥିଲେ।