ଜାତୀୟ କଳାବସ୍ତୁ ମେଳା ଉଦ୍‌ଘାଟିତ : ଆକର୍ଷଣରେ ସବୁ ରାଜ୍ୟର କଳାବସ୍ତୁ ସାମଗ୍ରୀ

0

ଭୁବନେଶ୍ୱର, ୨୪/୧୧: ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂଗ୍ରହାଳୟ ପରିସରରେ ଶନିବାରଠାରୁ ଆରମ୍ଭ ହୋଇଛି ଜାତୀୟ କଳାବସ୍ତୁ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, ଆମ ଜନଜାତି ସଂଗ୍ରହାଳୟ ସାରା ଦେଶରେ ସର୍ବୋତ୍ତମ ଓ ଅତ୍ୟାଧୁନିକ ସଂଗ୍ରହାଳୟ ଭାବେ ଖ୍ୟାତି ଲାଭ କରିଛି। ରାଜ୍ୟ ସରକାରଙ୍କ ଦ୍ବାରା ଏହି ସଂଗ୍ରହାଳୟର ନୂତନ ନାମକରଣ କରାଯାଇ ‘ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ’ ନାମରେ ନାମିତ କରାଗଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ପ୍ରସ୍ତୁତ ୨୧ଟି ଜନଜାତି ଭାଷାରେ ମାତୃଭାଷାଭିତ୍ତିକ ଶିକ୍ଷା ନିମିତ୍ତ ଦ୍ବିଭାଷୀ ଓ ତ୍ରିଭାଷୀ ଶବ୍ଦକୋଷ ଏବଂ ଶିକ୍ଷଣ ପୁସ୍ତିକା ଉନ୍ମୋଚନ କରିଥିଲେ। ଏହି ଶବ୍ଦକୋଷ ଜନଜାତି ଭାଷାର ସଫଳ ପ୍ରସାରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉଦ୍‌ଘାଟନୀ ଉତ୍ସବରେ ଉନ୍ନୟନ କମିଶନର ଆର୍‌. ବାଲକ୍ରିଷ୍ଣନ, ଏସ୍‌ସିଏସ୍‌ଟି ଆର୍‌ଟିଆଇର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ଡ. ଅଖିଳ ବିହାରି ଓତା ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ବର ଦ୍ବାରା ଆୟୋଜିତ ଏହି ମେଳାରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମଣିପୁର, ମହାରାଷ୍ଟ୍ର, ସିକିମ୍‌, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ ଓ ହିମାଚଳ ପ୍ରଦେଶ ପ୍ରଭୃତି ୧୪ ରାଜ୍ୟର ୧୫୦ରୁ ଅଧିତ୍କ ଅଭିଜ୍ଞ ଜନଜାତି କଳାକାର ଅଂଶଗ୍ରହଣ କରିଛନ୍ତି। ମେଳାରେ ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ, ଡୋକରା ଶିଳ୍ପ, ଜନଜାତି ବସ୍ତ୍ର ଓ ଚିତ୍ରକଳା ସହିତ, ବିଭିନ୍ନ କଳାବସ୍ତୁ ସାମଗ୍ରୀର ପ୍ରଦର୍ଶନ ଓ ବିପଣନ ହେଉଛି।

Leave A Reply

Your email address will not be published.