ଭୁବନେଶ୍ୱର, ୨୫/୦୮ : ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦାର ବଡ଼ ଗଞ୍ଜେଇ ରେଡ୍ । ଦାମୀ କାରରେ ଚାଲାଣ ହେଉଥିବା ବେଳେ ଜବତ ହେଲା ୧୯୫ କିଲୋ ଗଞ୍ଜେଇ । ଫାଷ୍ଟଗେଟ୍ ନିକଟରେ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ବୋଝେଇ ଗାଡ଼ିକୁ କାବୁ କରିଛି ଅବକାରୀ ଗୁଇନ୍ଦା ଟିମ୍ । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କନ୍ଧମାଳରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଟିମ୍ ପକ୍ଷରୁ ନଜର ରଖାଯାଇଥିଲା । ଫାଷ୍ଟଗେଟ୍ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଦୁଇଟି ଦାମୀ କାରକୁ ଅବକାରୀ ଗୁଇନ୍ଦା ଟିମ୍ ଅଟକାଇବାକୁ ଉଦ୍ୟମ କରିଥିଲା । ତେବେ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିବା ବେଳେ ଟିମ୍ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ କାବୁ କରିଥିଲା । ଗାଡ଼ି ଦୁଇଟିରେ ଯାଞ୍ଚ ବେଳେ ୧୯୫ କିଲୋ ଗଞ୍ଜେଇ ମିଳିଥିଲା। ଏହା ସହିତ ଦୁଇଟି ଦାମୀ କାର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଅବକାରୀ ବିଭାଗ ପଚରାଉଚରା ଜାରି ରଖିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା, କାହା ପାଖକୁ ଯାଉଥିଲା ଏବଂ ଏହି ଚାଲାଣ ପଛରେ ଆଉ କେଉଁମାନେ ଅଛନ୍ତି, ସେନେଇ ତଦନ୍ତ ଚାଲିଛି। ଦାମୀ କାରରେ ଗଞ୍ଜେଇ ଚାଲାଣ କରି ଅବକାରୀ ଟିମ୍କୁ ଚକମା ଦେବାକୁ ଚେଷ୍ଟା କରିଥିଲେ ଚାଲାଣକାରୀ । ହେଲେ ଫାଷ୍ଟଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ଟିମ୍ର ତୀକ୍ଷ୍ଣ ନଜରରୁ ବର୍ତ୍ତି ପାରିଲେ ନାହିଁ ।