ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର କପୁର ବେଟୀ ବେବୋ ଏବେ ସାଜିଛନ୍ତି ରେଡିଓ ଜକି । ଶ୍ରୋତାଙ୍କୁ ତାଙ୍କ ମଧୁର ଗଳାର ଆୱାଜ୍ ବେସ୍ ପସନ୍ଦ ଆସୁଛି, ଯାହା ପାଇଁ ବେବୋ ଫିଲ୍ମ ପରି ରେଡିଓ ଶୋ’ରେ ମଧ୍ୟ ବେଶ୍ ସଫଳ ହୋଇପାରିଛନ୍ତି । ଏବେ ବେବୋ (କରୀନା କପୁର ଖାନ୍)ନିଜ ଆଗାମୀ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏବେ ଆଉ ଏକ ଚର୍ଚ୍ଚାର ବିଷୟ ଶୁଣିବାକୁ ମିଳୁଛି ବେବୋଙ୍କ ନାଁ’ରେ । ବେବୋ ଖୁବ୍ ଜଲ୍ଦି ଡାନ୍ସ ରିଆଲିଟି ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଦେଖାଯିବାକୁ ଯାଉଛନ୍ତି । ଆଗାମୀ ଦିନରେ ଆସୁଥିବା ଏହି ଶୋ’ର ଏଡିସନ୍ରେ ବେବୋ ହୋଇ ପାନ୍ତି ଜଜ୍ । ଏଥିପାଇଁ ଶୋ’ର ନିର୍ଦ୍ଦେଶକ କରୀନାଙ୍କୁ ଚୟନ କରିଛନ୍ତି । ଦୁହିଁଙ୍କ ଭିତରେ କଥାବାର୍ତ୍ତା ଚାଲିଥିବାବେଳେ କରୀନା ଏନେଇ ସ୍ପଷ୍ଟୋକ୍ତି ଦେଇ ନାହାନ୍ତି । ଯଦି କରୀନା ଏ କାର୍ଯ୍ୟକ୍ରମରେ ଜଜ୍ ହେବା ପାଇଁ ରାଜି ହୋଇଯାନ୍ତି ତେବେ ଏହା ହେବ ବେବୋଙ୍କର ଟେଲିପରଦାରେ ଡେବୁ୍ୟ । ବର୍ତ୍ତମାନ କରୀନା ଫିଲ୍ମ ‘ଗୁଡ୍ ନୁ୍ୟଜ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ କରୀନାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଖିଲାଡ଼ି କୁମାର ଅକ୍ଷୟ । ଶେଷଥର ପାଇଁ ଏ ଯୋଡ଼ି ୨୦୧୫ ମସିହାରେ ଫିଲ୍ମ ‘ଗବ୍ବର’ରେ ନଜର ଆସିଥିଲେ । ‘ଗୁଡ୍ ନୁ୍ୟଜ୍’ ପରେ କରୀନା ଓ ଅକ୍ଷୟ, କରଣ ଜୋହରଙ୍କ ଫିଲ୍ମରେ ନଜର ଆସିବା କଥା କୁହାଯାଉଛି । ଟେଲି ଦୁନିଆରେ ଏଣ୍ଟ୍ରି କରିବା ପୂର୍ବରୁ ବେବୋ ଗତ ବର୍ଷ ରେଡିଓରେ ପାଦ ଥାପିସାରିଛନ୍ତି । ବେବୋଙ୍କ ରେଡିଓ ଶୋ’କୁ ରେଡ଼ିଓ ପ୍ରେମୀଙ୍କ ଭଲପାଇବା ମିଳିସାରିଛି । ତେବେ ଆଗାମୀ ଦିନରେ ଜଣା ପଡ଼ିବ ବେବୋ ଟେଲି ଜଗତରେ ଡେବୁ୍ୟ କରୁଛନ୍ତି ନା ନାହିଁ ।