ଡାକ୍ତରଖାନାରୁ ଚମ୍ପଟ୍‌ ମାରିଲା ବିଚାରାଧୀନ କଏଦୀ, ଦୁଇ ଓ୍ଵାର୍ଡର ନିଲମ୍ବିତ

ବାରିପଦା୮/୧୨: ମୟୂରଭଞ୍ଜ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରୁ ଜଣେ ବିଚାରାଧୀନ କଏଦୀ ପାହାନ୍ତା ରାତିରେ ଖସି ପଳାଇଛି। ଫେରାର କଏଦୀ ଜଣକ ହେଉଛନ୍ତି ବଡ଼ସାହି ବ୍ଲକ୍‌ର କାହ୍ନୁଚରଣ ମାରାଣ୍ଡି। ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କାହ୍ନୁଚରଣଙ୍କୁ ବାରିପଦାସ୍ଥିତ ସର୍କଲ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା। ଶାରୀରିକ ଦୁର୍ବଳତା କାରଣରୁ ତାଙ୍କୁ ଦୁଇ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାହାନ୍ତା ପ୍ରାୟ ୩ଟାରୁ ୪ଟା ସମୟରେ ସେ ଶୌଚାଳୟ ଯିବା ଆଳରେ କୌଣସି ମତେ ଡାକ୍ତରଖାନାରୁ ଖସି ପଳାଇ ଯାଇଛି । ଏହି ଘଟଣାରେ ଦୁଇ କାରାରକ୍ଷୀ ସତ୍ୟବ୍ରତ ବେହେରା ଓ ମାନସ ରଞ୍ଜନ ରାଉତଙ୍କୁ ଜେଲ ଅଧିକ୍ଷକ ନିରଞ୍ଜନ ଦାସ ନିଲମ୍ବନ କରିଛନ୍ତି । ତାଙ୍କୁ ଧରିବାକୁ ପୁଲିସ ପକ୍ଷରୁ ତଦନ୍ତ ଓ ଉଦ୍ୟମ ଆରମ୍ଭ ହୋଇଛି।