ତୋଷାଳି ଜାତୀୟ କ୍ରାଫ୍ଟ ମେଳା : ୩ ଦିନରେ ଦେଢ଼କୋଟି ବେପାର

ଭୁବନେଶ୍ୱର,୧।୧: ରାଜ୍ୟ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସ୍ଥାନୀୟ ଜନତା ମଇଦାନଠାରେ ଚାଲିଥିବା ତୋଷାଳି ଜାତୀୟ କ୍ରାଫ୍ଟ ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଆଗମନ ବୃଦ୍ଧି ପାଉଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଖାଦ୍ୟପେୟ ଏବଂ ମନଚାହଁା ସାମଗ୍ରୀର କିଣାକିଣି ପାଇଁ ସବୁବର୍ଗର ଲୋକ ଏକାଠି ହେଉଛନ୍ତି। କିଏ କଶ୍ମୀର ସାଲ୍‌ କିଣୁଛି ତ କିଏ ବାଉଁଶ ତିଆରି ଘରସଜ୍ଜା ସାମଗ୍ରୀ, ଲକ୍ଷ୍ନୌର ଚିକନ୍‌କରି, ବନାରସ ପ୍ରସିଦ୍ଧ ବନାରସୀ ଶାଢ଼ି କିଣୁଛି। ସେହିପରି ଓଡ଼ିଶାର ଜନଜାତି ଅଳଙ୍କାର ସହ ବାହାର ରାଜ୍ୟରୁ ଆସିଥିବା ଆଣ୍ଟିକ୍‌ ଜୁଏଲେରି ଏଥର ତୋଷାଳିର ପ୍ରମୁଖ ଆକର୍ଷଣ ପାଲିଟିଛି। ଶିଳ୍ପୀଙ୍କ ହାତରୁ ପ୍ରସ୍ତୁତ ପ୍ରତ୍ୟେକଟି ସାମଗ୍ରୀରେ ଭିନ୍ନତା ଓ ଉତ୍କୃଷ୍ଟ କାରିଗରି ଶୈଳୀର ଝଲକ୍‌ ଦେଖିବାକୁ ମିଳୁଛି।

ରବିବାର ସୁଦ୍ଧା ମେଳାରେ ପ୍ରାୟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ସୋମବାର ବର୍ଷର ଶେଷଦିନ ହୋଇଥିବାରୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ପ୍ରବଳ ଶୀତ ସତ୍ତ୍ୱେ ବହୁସଂଖ୍ୟାରେ ଦର୍ଶକ ମଞ୍ଚ ସମ୍ମୁଖରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ୪ର୍ଥ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଓ ସୁସ୍ମିତା ବାଗ୍‌ଚୀ ଯୋଗଦେଇଥିଲେ। ବର୍ତ୍ତମାନ ସମୟରେ ଲୋକଙ୍କ ଚାହିଦାକୁ ଦେଖି ବୁଣାକାର ଓ କାରିଗରମାନେ ନିଜ ଡିଜାଇନ୍‌ ଏବଂ ଗୁଣବତ୍ତାରେ ପରିବର୍ତ୍ତନ ଆଣିବାକୁ ବାଗ୍‌ଚୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ମେଳା ମଞ୍ଚରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ଲୋକନୃତ୍ୟ ଗୁରୁ ଆଲୋକ ପଣ୍ଡା ଓ ସାଥୀ କଳାକାରମାନେ ଡାଲ୍‌ଖାଇ, ସିଂଘାରୀ ଏବଂ ଓଡ଼ିଶାର ପରବ ଆଦି ପରିବେଷଣ କରିଥିଲେ। ଏହାପରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ଓଡ଼ିଶୀ ନୃତ୍ୟ ଏବଂ ଶେଷରେ ସମ୍ବଲପୁରୀ ହସ୍ତତନ୍ତ ଆଧାରିତ ଫ୍ୟାଶାନ ଶୋ’ ଦେଖିବାକୁ ମିଳିଥିଲା।

SBI_Festive_Digital Billboard