ଭୁବନେଶ୍ୱର,୧୦/୧୨: ଧାନ କିଣା ନେଇ ରାଜ୍ୟ ସରକାର ଏବେ ଅଡ଼ୁଆରେ। ଏ ପ୍ରସଙ୍ଗରେ ସୋମବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଧାନ କିଣାରେ କଟନୀ ଛଟନୀ ବନ୍ଦ କରିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି। ନହେଲେ ୨ ଦିନ ଭିତରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବାହିନୀପତି ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖି ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଧାନ କିଣାରେ ଦୁର୍ନୀତି କଲେ ମିଲରଙ୍କୁ ଗିରଫ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।
ଧାନ କିଣା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଘୋର ନିନ୍ଦା କରିଛନ୍ତି। ବିରୋଧି ଦଳର ମୁଖ୍ୟ ସଚେତକ ତାରା ବାହିନୀପତି ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “ସରକାର ଓ ମିଲ ମାଲିକଙ୍କ ମଧ୍ୟରେ ସଲାସୁତରା ରହିଛି। ଚାଷୀ ବର୍ଷା, ଖରା ଶୀତରେ ଧାନ ବିକ୍ରି ପାଇଁ କଷ୍ଟ ସହୁଛନ୍ତି। ରାଜ୍ୟର ପ୍ରାୟ ୮୦ ଭାଗ ଲୋକ ପେଟ ପୋଷିବା ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି। ହକି ପାଇଁ ମଧ୍ୟ ଚାଷୀର ଟ୍ୟାକ୍ସ କଟାଯାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଧାନ କିଣାଯାଉ। ଏଥର କଟନି ଛଟନି କଲେ ଆଗାମୀ ୨ରୁ ୩ ଦିନ ମଧ୍ୟରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଧାନକିଣାରେ ଦୁର୍ନୀତି ହେଲେ ସଂପୃକ୍ତ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି।