ଭୁବନେଶ୍ବର : ଓଡ଼ିଶା ଆର୍ଥିକ ବର୍ଷ ୨୦୨୩-୨୪ରେ ସମଗ୍ର ଦେଶରେ ଆର୍ଥିକ ସ୍ବାସ୍ଥ୍ୟ ସୂଚୀରେ ଏକ ନମ୍ବର ସ୍ଥାନରେ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି। ନିତି ଆୟୋଗ ଦ୍ବାରା ଜାରି କରାଯାଇଥିବା ଏହି ତଥ୍ୟକୁ ଆଧାର କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଭୁଲିନାହାନ୍ତି।
ସୋସିଆଲ ମିଡିଆର ଏକ ପୋଷ୍ଟ୍ ଜରିଆରେ ନବୀନ ଜଣାଇଛନ୍ତି ଯେ, ବର୍ତ୍ତମାନର ଡବଲ୍ ଇଞ୍ଜିନ ସରକାର ଯେଉଁଭଳି ଭାବେ ଆର୍ଥିକ କ୍ଷେତ୍ରରେ କୁପରିଚାଳନା କରୁଛନ୍ତି, ତାହା ମୋତେ ଚିନ୍ତିତ କରିଛି। ଏହା ରାଜ୍ୟକୁ ପୁଣି ଦେବାଳିଆ ସ୍ଥିତି ଆଡ଼କୁ ଠେଲି ଦେଉଛି ଓ ବିକାଶର ଗତିକୁ ୨୫ ବର୍ଷ ତଳକୁ ନେଇଯାଉଛି। ଭଗବାନ ସେମାନଙ୍କ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି।ନବୀନ କହିଚନ୍ତି ଯେ ୨୦୦୦ ମସିହାରେ ପ୍ରାୟ ଦେବାଳିଆ ସ୍ଥିତିରୁ ଓଡ଼ିଶା ଯେଉଁ ଯାତ୍ରା ଆରମ୍ଭ କରିଥିଲା ଯାହା ଆଜି ସମସ୍ତ ମାନଦଣ୍ଡରେ ଶୀର୍ଷରେ ପହଞ୍ଚିଛି।
ଦେଶର କୌଣସି ଡବଲ୍ ଇଞ୍ଜିନ ସରକାର ହାସଲ କରିପାରିନାହାନ୍ତି। ଏକ ଆର୍ଥିକ ସଙ୍କଟଜନକ ସ୍ଥିତିରୁ ଆଜି ଆର୍ଥିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇପାରିଛି। ଖର୍ଚ୍ଚର ଗୁଣବତ୍ତାଠାରୁ ଆରମ୍ଭ କରି ରାଜସ୍ବ ସଂଗ୍ରହ, ଆର୍ଥିକ ଶୃଙ୍ଖଳା ଓ ଋଣ ଭାର ହ୍ରାସ କରିବାରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି। ନିତି ଆୟୋଗର ଆର୍ଥିକ ସ୍ବାସ୍ଥ୍ୟ ସୂଚୀ ୨୦୨୬ରେ ଓଡ଼ିଶା ୭୩.୧ ସ୍କୋର ସହ ଶୀର୍ଷ ସ୍ଥାନରେ ରହିଛି। ପୂର୍ବ ସଂସ୍କରଣରେ ମଧ୍ୟ ଓଡ଼ିଶା ଏକ ନମ୍ବର ସ୍ଥାନରେ ଥିଲା।