ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

0

ପୁରୀ,୨/୭ : ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ନବଯୌବନ ରୂପ ଦର୍ଶନର ସୁଯୋଗ ନେଇଛନ୍ତି ଅସଂଖ୍ୟ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଏଥିସହ ପରମ୍ପରା ଅନୁଯାୟୀ ଆଜି ଅଣସର ଘରେ ହୋଇଛି ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକ ଲାଗି ନୀତି। ଏହା ହେଉଛି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି। ନୀତିକାନ୍ତି ସଂପନ୍ନ ହେବା ପରେ ପଟିଦିଅଁଙ୍କ ପୂଜାର୍ଚ୍ଚନା ହୋଇଥିଲା। ତା’ ପରେ ନବଯୌବନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ଯାଏଁ ଭିତରକାଠ ପାଖରୁ ପରମାଣିକ ଦର୍ଶନ ହୋଇଥିଲା। ଏହା ପରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେପଟେ ଦିନକ ପରେ ରଥ ଯାତ୍ରା। ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀଜିଉଙ୍କ ଘୋଷଯାତ୍ରା ଯେମିତି ସୁରୁଖୁରୁରେ ସରିବ, ସେଥିପାଇଁ ରଥଟଣା ଅଭ୍ୟାସ କରିଛନ୍ତି ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ଯବାନ। ପୁରୀ ରିଜର୍ଭ ପଡ଼ିଆରେ ଏଥିପାଇଁ ମକ୍ ଡ୍ରିଲ୍ କରାଯାଇଛି। ପୁଲିସ ଜିପ୍‌କୁ ରଥ ଭଳି ଦଉଡ଼ି ବାନ୍ଧି ଟାଣିଛନ୍ତି ପୁଲିସ କର୍ମଚାରୀ। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଥିବା ମୋଡ଼ ସ୍ଥାନରେ କିଭଳି ମାପଚୁପ କରାଯାଇ ରଥ ଟଣାଯିବ, ଇନର୍‌ ଓ ଆଉଟର୍‌ କର୍ଡନ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ ଭିଡ଼କୁ କିଭଳି ସମ୍ଭାଳିବେ, ସେନେଇ ତାଲିମ ଦିଆଯାଇଛି।

ଏହାଛଡ଼ା ପୁରୀ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୨୫ଟି ସୂଚନା କେନ୍ଦ୍ର ଓ ୪୭ଟି ସ୍ଥାନରେ ସ୍ୱତନ୍ତ୍ର ମ୍ୟାପ ଲଗାଯାଉଛି। ସ୍ୱତନ୍ତ୍ର ମୋବାଇଲ ଆପ୍‌ରେ ପୁରୀ ପୁଲିସର ସମସ୍ତ ବିବରଣୀ ସ୍ଥାନ ପାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ ଫୋର୍ସ ଓ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

Leave A Reply

Your email address will not be published.