ଭୁବନେଶ୍ୱର,୩୧/୫ :ଉଲ୍ଲେଖନୀୟ ସଫଳତାର ଧାରାକୁ ବଜାୟ ରଖି ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ଉଭୟ ଉତ୍ପାଦନ ଏବଂ ପ୍ରଦର୍ଶନରେ ଏହାର ଦକ୍ଷତା ପୁନଃ ପ୍ରତିପାଦିତ କରିପାରିଛି । ନୂଆଦିଲ୍ଲୀ ଠାରେ ମଇ ୩୦ ତାରିଖରେ ଆୟୋଜିତ ବୋର୍ଡ୍ ଅଫ୍ ଡାଇରେକ୍ଟର୍ସଙ୍କ ବୈଠକରେ ଅନୁମୋଦିତ ୨୦୧୮-୧୯ ବର୍ଷର ଫଳାଫଳ ଅନୁଯାୟୀ, ନିଟ୍ ଲାଭ ୧୭୩୨ କୋଟି ଟଙ୍କା ହାସଲ କରିଛି, ଯାହା କି ଗତ ବର୍ଷର ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ତୁଳନାରେ ୩୯୦ କୋଟି ଟଙ୍କା ଅର୍ଥାତ୍ ୨୯ ପ୍ରତିଶତ ଅଧିକ । ଚତୁର୍ଥ ତ୍ରୈମାସିକୀରେ କମ୍ପାନୀର ନିଟ୍ ଲାଭ ୨୩୩ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ, ନାଲକୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି । ୨୦୧୮-୧୯ ବର୍ଷରେ କମ୍ପାନୀର ମୋଟ୍ ବିକ୍ରିଲବ୍ଧ ଆୟ ୧୧,୩୮୬ କୋଟି ଟଙ୍କା ହୋଇଛି, ଯାହା କି ବିଗତ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ଏବଂ କମ୍ପାନୀ ଆରମ୍ଭ ପର ଠାରୁ ସର୍ବାଧିକ । ସେହିପରି, ଏଯାବତ୍ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନୀ ୪୭୯୨.୭୨ କୋଟି ଟଙ୍କା ଅର୍ଜ୍ଜନ କରିଛି ।
ଉଲ୍ଲେଖଯୋଗ୍ୟ ଯେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ହୋଇଛି ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ । ସେହି ପରି, ୭୨.୩୧ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ହୋଇଛି, ଯାହା ମଧ୍ୟ ଏ ଯାବତ୍ ସର୍ବାଧିକ । ଚଳିତ ବର୍ଷ ରିଫାଇନେରୀ ୨୧.୫୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି କମ୍ପାନୀର ଇତିହାସରେ ରେକର୍ଡ୍ ସୃଷ୍ଟି କରିଛି । ଆହୁରି ମଧ୍ୟ, ଷ୍ଟିମ ଏବଂ ପାଓାର ପ୍ଲାଣ୍ଟ ରୁ ସର୍ବାଧିକ ବିଦ୍ୟୁତ ଉତ୍ପାଦିତ ହୋଇଛି । ନାଲକୋର ସ୍ମେଲ୍ଟର୍ ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ୪.୪୦ ଲକ୍ଷ ଟନ୍ ଆଲୁନିମିୟମ ଉତ୍ପାଦନ କରିଛି । ଆହୁରି ମଧ୍ୟ, କମ୍ପାନୀ ପ୍ରତିଷ୍ଠା ଦିନ ଠାରୁ ସର୍ବାଧ୍ଚଳ ଓୟାର ରଡ୍, ବିଲେଟ୍, ଗ୍ରିନ ଆନୋଡ, ରଡେଡ୍ ଆନୋଡ, ଟି-ଇନଗୋଟ ଉତ୍ପାଦିତ ହୋଇଛି । ୩୬୩ ନିୟୁତ ୟୁନିଟ୍ ପବନଚାଳିତ ବିଦ୍ୟୁତ ଉତ୍ପାଦିତ ହୋଇଛି ଯାହା କି ଏଯାବତ୍ ସର୍ବାଧିକ ।
ବିକ୍ରୟ କ୍ଷେତ୍ରରେ ମଧ୍ୟ ନୂଆ କୀର୍ତିସ୍ତମ୍ଭ ସ୍ଥାପନ କରି ନାଲକୋ ଘରୋଇ ବଜାରରେ ବିକ୍ରୟ କ୍ଷେତ୍ରରେ ସର୍ବାଧିକ ସଫଳତା ହାସଲ କରି ସର୍ବାଧିକ ବିକ୍ରିଲବ୍ଧ ଆୟ ଏବଂ ରପ୍ତାନିଲବ୍ଧ ଆୟ ମଧ୍ୟ ହାସଲ କରିଛି । ଗତ ବର୍ଷ ତୁଳନାରେ ସମୂଦାୟ ଧାତୁ ବିକ୍ରୟ କ୍ଷେତ୍ରରେ ୩.୫ ପ୍ରତିଶତ ବୃଦ୍ଧି ଘଟି ୪.୪୧ ଲକ୍ଷ ଟନ୍ ଆଲୁମିନିୟମ୍ ବିକ୍ରି କରାଯାଥିବା ବେଳେ ଘରୋଇ ବଜାରରେ ଗତ ବର୍ଷ ତୁଳନାରେ ୧୪.୯ ପ୍ରତିଶତ ବୃଦ୍ଧି ଘଟି ୪.୦୨ ଲକ୍ଷ ଟନ୍ ଧାତୁ ବିକ୍ରି ହୋଇଛି, ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ । ପବ୍ଲିକ୍ ଏଂଟର୍ପ୍ରାଇଜ୍ ସର୍ଭେ ଅନୁସାରେ ନାଲ୍କୋ ଏହି ବର୍ଷ ପାଇଁ ତୃତୀୟ ସର୍ବାଧିକ ନିଟ୍ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକଉଦ୍ୟମ ଭାବେ ମାନ୍ୟତା ଲାଭ କରିଛି ।
୨୦୧୮-୧୯ ଆର୍ôଥକ ବର୍ଷରେ ନାଲକୋ ଅନେକ ସଫଳତା ଓ ମାଇଲ୍ଖୁଣ୍ଟ ହାସଲ କରିଛି । ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ନାଲ୍କୋ ବିଶ୍ୱ ସ୍ତରରେ ମାନ୍ୟତା ବଜାୟ ରଖିଛିି । ଏଥି ସହିତ, ଏକ ନୂତନ ସଫଳତା କ୍ରମେ ନାଲକୋର ବକ୍ସାଇଟ୍ ଖଣି ମଧ୍ୟ ଏ ବର୍ଷ ପ୍ରଥମ ସ୍ଥାନ ହାସଲ କରିଛି । ଆହୁରି ମଧ୍ୟ, ଆର୍ôଥକ ଲାଭ କ୍ଷେତ୍ରରେ, ୨୮ ପ୍ରତିଶତ ଇବିଆଇଡିଟିଏ ମାର୍ଜିନ୍ ସହ ନାଲକୋ ଅନ୍ୟ ଘରୋଇ ଉତ୍ପାଦନକାରୀମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି । ଶିଳ୍ପ ବିଶାରଦମାନେ ନାଲ୍କୋର ଏହି ସଫଳତାର ଶ୍ରେୟ ୨୦୧୬ ମସିହାରୁ ପ୍ରବର୍ତ୍ତିତ କମ୍ପାନୀର ନୂତନ ବ୍ୟବସାୟିକ ମଡେଲ୍କୁ ଦେଇଛନ୍ତି ।