ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକଙ୍କୁ ଆକ୍ରମଣ ଘଟଣା : ୫ଗିରଫ

ନୂଆଦିଲ୍ଲୀ, ୩୧/୦୫ : ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣାରେ ଜୋରଦାର ହୋଇଛି ରାଜନୀତି। ଏହାରି ଭିତରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୋନାରପୁର ସାଉଥ ଅଂଚଳରେ ନିର୍ବାଚନୀ ପରବର୍ତ୍ତୀ ହିଂସାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ ଅଭିଷେକ । ଏହି ସମୟରେ ଶହ ଶହ ଲୋକେ ସେଠାରେ ଅଭିଷେକଙ୍କ ଉପରେ ଆକ୍ରମଣ କରିଥିଲେ। ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ।ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଘଟଣାର ଭିଡିଓରେ ଟିଏମସି ସାଂସଦ କ୍ରିକେଟ ହେଲମେଟ୍ ପିନ୍ଧିଥିବାର ନଜର ଆସିଥିଲେ। ଭିଡିଓରେ ଅଭିଷେକ ଏବଂ ତାଙ୍କ ସହଯୋଗୀଙ୍କୁ ଅନେକ ଲୋକ ଘେରି ରହିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଭିଡ଼ ତାଙ୍କ ଡ୍ରେସ ମଧ୍ୟ ଚିରିଦେଇଥିଲେ।ଆକ୍ରମଣ ପଛରେ ବିଜେପି ଥିବା ଅଭିଷେକ ଅଭିଯୋଗ କରିଛନ୍ତି।ସେମାନେ ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିଲେ ବୋଲି କହିଛନ୍ତି ଅଭିଷେକ।ମାମଲାରେ ସେ କୋର୍ଟ ଯିବେ ବୋଲି କହିଛନ୍ତି । ଅଭିଷେକଙ୍କ ମୁଣ୍ଡ ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା । ସେପଟେ ନକଲି ଦସ୍ତଖତ ମାମଲାରେ ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢ଼ିଛି । ଜୁନ ୧ ତାରିଖରେ ହାଜର ହେବାକୁ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସିଆଇଡି ସମନ କରିଛି ।ଅଭିଷେକ ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମମତା କହିଛନ୍ତି, ଅଭିଷେକଙ୍କୁ ହସପିଟାଲରେ ଭର୍ତ୍ତି ନ କରିବା ପାଇଁ କ୍ଷମତା ଥିବା ଲୋକ ହସପିଟାଲ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧମକ ଦେଇଛନ୍ତି। ଡାକ୍ତରମାନେ ମଧ୍ୟ ଚାପରେ ଥିବା ସେ ଅଭିଯୋଗ କରିଥିବାବେଳେ ଏ ସବୁକୁ ଖଣ୍ଡନ କରି ବିଜେପି କହିଛି, ଏହା କୌଣସି ରାଜନୈତିକ ଆକ୍ରମଣ ନୁହେଁ। ସ୍ଥାନୀୟ ଲୋକଙ୍କ ପାଖରେ ମୌଳିକ ସୁବିଧା ନଥିବାରୁ ସେମାନେ କ୍ରୋଧ ପ୍ରକାଶ କରିଛନ୍ତି।