ପଞ୍ଚଦଶ ବିଧାନସଭା ବଜେଟ୍‌ ଅଧିବେଶନ : ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଗୁଣଗାନ, ବିରୋଧୀଙ୍କ କକ୍ଷତ୍ୟାଗ

0

ଭୁବନେଶ୍ୱର, ୪/୨ : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିଛନ୍ତି । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତାର କାହାଣୀ ରାଜ୍ୟପାଳ ବଖାଣିଛନ୍ତି । ଗୃହ ଆରମ୍ଭରୁ ବିରୋଧୀଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଛି । ବିରୋଧୀ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।

ନିର୍ଦ୍ଧାରିତ ସମୟ ଅନୁସାରେ ଗୃହ ଆରମ୍ଭ ହୋଇଛି । ଜାତୀୟ ସଙ୍ଗୀତ ପରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ । ପ୍ରଥମେ ଦିବଙ୍ଗତ ନେତା, ମନ୍ତ୍ରୀ ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଚିଠା ରଖିଥିଲେ । ପ୍ରଥମେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ ପରିଚାଳନାରୁ । ୨୦୦୦ ମସିହାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଏହା ସହିତ ରାଜ୍ୟରେ କୃଷି ଉତ୍ପାଦନ ମଧ୍ୟ ବଢ଼ିଛି । ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଜିତିଛି । ଆର୍ଥିକ ଦେବାଳିଆ ଥିବା ଓଡ଼ିଶା ରାଜ୍ୟ ଆଜି ଆର୍ଥିକ ସ୍ୱଚ୍ଛଳ ରାଜ୍ୟରେ ପରିଣତ ହୋଇଛି । କୃଷକଙ୍କ ବିକାଶ ପାଇଁ ‘କାଳିଆ’ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ସବୁବର୍ଗର ମୋଟ ୯୦ ପ୍ରତିଶତ ଚାଷୀ ଉପକୃତ ହେବେ । ସେହିପରି ୬୫ ହଜାର ଚାଷୀଙ୍କୁ ମୋବାଇଲ୍‌ ଦିଆଯାଇଛି । ସେହିପରି ଆମ ସରକାର ଓଡ଼ିଶା ଅର୍ଗାନିକ ଫାର୍ମିଙ୍ଗ ଆରମ୍ଭ କରିଛି ।

ଆସନ୍ତା ଏପ୍ରିଲ ମାସରୁ ବିନା ସୁଧରେ ଋଣ ପ୍ରଦାନ କରାଯିବ । ୧୦ ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି । ନିଜର ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏହା ସହିତ ୪୮ ପ୍ରତିଶତ ଲୋକଙ୍କୁ ପେନ୍‌ସନ୍‌ ଦିଆଯାଉଛି । ସେହିପରି ଗରିବ ଲୋକଙ୍କ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ସେହିପରି ନିଦାନ, ନିରାମୟ ଓ ସହାୟ ଭଳି ଯୋଜନା ମାଧ୍ୟମରେ ମାଗଣାର ଚିକିତ୍ସା ଦିଆଯାଉଛି । ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି । ବିଗତ ୪ ବର୍ଷ ମଧ୍ୟରେ ୪ ନିୟୁତ ଗୃହ ନିର୍ମାଣ କରାଯାଇଛି । ୩୧୪ଟି ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟ ଶେଷ ହୋଇଛି ।

ଅନ୍ୟପକ୍ଷରେ ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ଭୁବନେଶ୍ୱରରେ ଦେଶର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଗୁରୁତର ସହିତ ନିଆଯାଇଛି । ଏଥିପାଇଁ ଲଢ଼େଇ ଜାରି ରହିଛି । ରାଜ୍ୟରେ ଦ୍ରୁତଗତିରେ ଶିଳ୍ପାୟନ ବୃଦ୍ଧି ପାଇଛି । ଆଦିବାସୀ ବହୁଲ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ସେହିପରି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯାଇଛି । ଏଥିପାଇଁ ୨୮ଟି ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ମହାନଦୀ ଗ୍ରୀନ ମିଶନ ଯୋଜନା ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ କ୍ରୋଧ ଦେଖିବାକୁ ମିଳିଛି । ଅଭିଭାଷଣ ଚାଲିଥିବାବେଳେ କଂଗ୍ରେସ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି ।

Leave A Reply

Your email address will not be published.