ଉତ୍ତରପ୍ରଦେଶ,୬/୫ : ଉତ୍ତରପ୍ରଦେଶ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା ସହିତ ମଦର ମୂଲ୍ୟରେ ମଧ୍ୟ ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍ ବୁଧବାର ଉଭୟ ପ୍ରସ୍ତାବ ପାରିତ କରିଛନ୍ତି ଏବଂ ନୂତନ ମୂଲ୍ୟ ମଧ୍ୟ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। କରୋନା କାରଣରୁ ରାଜସ୍ୱ ହ୍ରାସ ପରେ ଏହି ନିଷ୍ପତ୍ତି ନିଆଯାଇଛି।
କରୋନା ଯୋଗୁଁ ପେଟ୍ରୋଲ ମୂଲ୍ୟ ୨ ଟଙ୍କା ଏବଂ ଡିଜେଲ ଦର ଗୋଟିଏ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୩.୯୧ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୭୧.୯୧ ଟଙ୍କା ଥିଲା। ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୬୩.୮୬ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୬୨.୮୬ ଟଙ୍କା ଥିଲା।
ଏଥି ସହିତ ଘରୋଇ ମଦରେ 5 ଟଙ୍କା, ଇଂରାଜୀ ମଦରେ ୧୮୦ ମିଲିରେ ୧୦ ଟଙ୍କା, ୧୮୦ ମିଲିରୁ ୫୦୦ ମିଲି ମଧ୍ୟରେ ୨୦ ଟଙ୍କା ଏବଂ ୫୦୦ ମିଲିରୁ ଉର୍ଦ୍ଧ୍ୱ ମଦରେ ୩୦ ଟଙ୍କା ବୃଦ୍ଧି ଘଟିଛି । ସୋମବାର ଠାରୁ ୟୁପିରେ ମଦ ଦୋକାନ ଖୋଲାଯାଇଥିଲା ଏବଂ ପ୍ରଥମ ଦିନରେ ପ୍ରାୟ ୧୦୦ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।