ପୁରୁଷ ହକି ବିଶ୍ବକପ୍‌‌: ଆର୍ଜେଣ୍ଟିନାଠୁ ହାରି ଭାରତ ସେମିରୁ ବଞ୍ଚିତ

ନୂଆଦିଲ୍ଲୀ, ୨୫/୦୮ : ପୁରୁଷ ହକି ବିଶ୍ବକପ୍‌‌ରେ ୨ୟ ରାଉଣ୍ଡର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଆର୍ଜେଣ୍ଟିନାଠାରୁ ୫-୩ ଗୋଲ୍‌ରେ ପରାସ୍ତ ହୋଇଛି। ଫଳରେ ଭାରତୀୟ ଦଳ ଏହି ବିଶ୍ବକପ୍‌ର ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ସେମିରେ ପହଞ୍ଚିବା ପାଇଁ ଭାରତ ଏହି ମ୍ୟାଚ୍‌କୁ ଅତିକମ୍‌ରେ ୩ଟି ଗୋଲ୍‌ ବ୍ୟବଧାନରେ ଜିତିବାର ଆବଶ୍ୟକତା ଥିଲା। କିନ୍ତୁ ଭାରତ ୩-୫ ଗୋଲରେ ହାରିଯିବା ପରେ ଏହା ବାଦ୍‌‌ ପଡ଼ିଛି। ଭାରତୀୟ ମହିଳା ଦଳ ମଧ୍ୟ ରବିବାର ସେମିଫାଇନାଲ ଦୌଡ଼ରୁ ବାଦ୍‌‌ ପଡ଼ିଥିଲା। ଭାଗ୍ୟ ବଦଳାଇବା ପାଇଁ ଭାରତ ଜର୍ସିର ରଙ୍ଗ ବଦଳାଇଥିଲେ ମଧ୍ୟ ଏହା ନିଷ୍ଫଳ ହୋଇଛି। ଏବେ ଭାରତର ଉଭୟ ଦଳ ବିଭିନ୍ନ ସ୍ଥାନ ପାଇଁ ଲଢ଼େଇ କରିବ। ପୁରୁଷ ଦଳ ୭ମରୁ ୮ମ ଏବଂ ମହିଳା ଦଳ ୫ମରୁ ୬ଷ୍ଠ ସ୍ଥାନ ଲାଗି ଖେଳିବ। ଆର୍ଜେଣ୍ଟିନାର ଜୋକିନ୍ ଟୋସ୍କାନି ୧ ମିନିଟରେ ଏହି ଗୋଲ୍‌ ଦେଇଥିଲେ। ୬ଷ୍ଠ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ନିକୋଲାସ୍‌ ଡେଲା ଟୋରେ​‌ ଗୋଲ୍‌ଦେଇ ଆର୍ଜେଣ୍ଟିନାକୁ ୨-୦ରେ ଆଗୁଆ କରିଥିଲେ। ୧୦ ମିନିଟରେ ଅଭିଷେକଙ୍କ ପାସ୍‌ରୁ ବଲ୍‌ ପାଇ ଭାରତର ସୁଖଜିତ ସିଂହ ଗୋଲ୍‌ ଦେଇଥିଲେ। ଭାରତ ଏକାଧିକ ସୁଯୋଗ ପାଇଥିଲେ ହେଁ ବଲ୍‌ ନିୟନ୍ତ୍ରଣ ଓ ପାସ୍‌ ଦେବା​‌େ​ର ଦୁର୍ବଳତା ଦେଖା ଯାଇଥିଲା। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଆଉ ୬ଟି ଗୋଲ୍‌ ହୋଇଥିଲା। ୩୩ ମିନିଟରେ ଆର୍ଜେଣ୍ଟିନାର ଟମାସ୍‌ ଡୋମେନେ ରିଭର୍ସ ହିଟ୍‌ ମାରି ଗୋଲ୍‌ଦେଇ ଦଳ ପାଇଁ ୩ୟ ଗୋଲ୍‌ ଦେଇଥିଲେ। ଭାରତ ଏକାଧିକ ସୁଯୋଗ ପାଇଥିଲେ ହେଁ ଅଧିନାୟକ ହରମନପ୍ରୀତ ସିଂହ ଗୋଟିଏ ହେଲେ ଗୋଲ୍‌ ଦେଇ ପାରିନଥିଲେ। ୪୫ ମିନିଟ୍‌ରେ ଆର୍ଜେଣ୍ଟିନା ଏକ ପେନାଲ୍‌ଟି ଷ୍ଟ୍ରୋକ୍‌ ପାଇଥିଲା। ଏଥିରୁ ଗୋଲ୍‌ଦେଇ ଟମାସ୍‌ ଡୋମେନେ ଟୁର୍ଣ୍ଣାମେଣ୍ଟରେ ୮ମ ଗୋଲ୍‌ ଦେବା ସହ ଦଳକୁ ୪-୧ରେ ଆଗୁଆ କରିଥିଲେ। ୫୩ ମିନିଟରେ ଆର୍ଜେଣ୍ଟିନାର ଜୋକିନ୍ ଟୋସ୍କାନି ରିଭର୍ସ ହିଟ୍‌ରୁ ଦଳ ପାଇ ୫ମ ଗୋଲ୍‌ ସ୍କୋର୍‌ କରିଥିଲେ। ତେବେ ଶେଷ ୨ ମିନିଟରେ ଭାରତ ୨ଟି ଗୋଲ୍‌ ସ୍କୋର୍‌ କରିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ୫୮ ମିନିଟରେ ସୁଖଜିତ ସିଂହ ବ୍ୟକ୍ତିଗତ ତଥା ଭାରତ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ୬୦ ମିନିଟରେ ହାର୍ଦିକ ସିଂହ ଭାରତ ପାଇଁ ୩ୟ ଗୋଲ୍‌ ଦେଇଥିଲେ। ଏହି ବିଶ୍ବକପ୍‌ରେ ପୁରୁଷ ଦଳଠାରୁ ଅନେକ କିଛି ଆଶା କରା ଯାଉଥିଲା। କିନ୍ତୁ ପ୍ରଥମ ରାଉଣ୍ଡରେ ୱେଲ୍‌ସ ଓ ପାକିସ୍ତାନ ଭଳି ଦୁର୍ବଳ ଦଳ ବିପକ୍ଷରେ ଭାରତ ଜିତିଥିଲା। ଅନ୍ୟ ୩ଟି ଶକ୍ତିଶାଳୀ ଦଳ ଇଂଲଣ୍ଡ, ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନାଠାରୁ ଭାରତ ପରାସ୍ତ ହୋଇଥିଲା।