ଭୋପାଳ,୨୫/୭ : ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିଜେପି ଏବେ ନିଜେ ଅଡ଼ୁଆରେ ପଡ଼ିଯାଇଛି। ଗତକାଲି ବିଜେପିର ଦୁଇ ବିଧାୟକ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ସମର୍ଥନ କରିଥିଲେ।
ଏହାପରେ ସେମାନେ କଂଗ୍ରେସରେ ମିଶିବେ ବୋଲି କହିଥିଲେ। ଆଜି ଆଉ ୪ ଜଣ ବିଜେପି ବିଧାୟକ ସମାନ ନୀତି ଆପଣାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ କରୁଥିବା କମ୍ପ୍ୟୁଟର ବାବା ଆଜି ଦେଇଥିବା ବୟାନ ଏହି ଚର୍ଚ୍ଚାକୁ ଆହୁରି ଦୃଢ଼ୀଭୂତ କରିଛି। କମ୍ପ୍ୟୁଟର ବାବା କହିଛନ୍ତି, “ବିଜେପିର ୪ ଜଣ ବିଧାୟକ ମୋ ସହ ଯୋଗାଯୋଗରେ ରହିଛନ୍ତି। ସମୟ ଆସିଲେ, ମୁଁ ସେମାନଙ୍କୁ ସମସ୍ତଙ୍କ ଆଗରେ ହାଜର କରିବି।
ଏଥିପାଇଁ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିର୍ଦ୍ଦେଶକୁ ମୁଁ ଅପେକ୍ଷା କରିଛି। ସେମାନେ ମୋ ସହ ନିୟମିତ କଥା ହେଉଛନ୍ତି ଏବଂ ସେମାନଙ୍କୁ ଖୁବ୍ଶୀଘ୍ର ସରକାରରେ ସାମିଲ କରାଯିବ।” କଂଗ୍ରେସର ଆଡଭୋକେଟ୍ ପ୍ରୋଟେକସନ୍ ବିଲ୍କୁ ଗତକାଲି ବିଧାନସଭାରେ ବିଜେପି ବିଧାୟକ ଶରଦ କୋଲ ଓ ନାରାୟଣ ତ୍ରିପାଠୀ ସମର୍ଥନ କରିଥିଲେ। ଏମାନେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଏବେ ଏମାନେ ପୁଣିଥରେ କଂଗ୍ରେସକୁ ଫେରିଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି।