ବିଜେଡ଼ି ଓ କଂଗ୍ରେସ ମୁଦ୍ରାର ଦୁଇ ପାର୍ଶ୍ୱ , ଆମକୁ ସରକାରରେ ଆସିବାକୁ ଦିଅନ୍ତୁ ବିକାଶ କରି ଦେଖାଇଦେବୁ : ଅମିତ ଶାହା

0

କଟକ,୨୯/୧: ସ୍ଥାନୀୟ ସାଲେପୁର କୁଳିଆ ପଡ଼ିଆରେ ଆୟୋଜିତ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀରେ କଂଗ୍ରେସ ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଓଡ଼ିଶା ଗସ୍ତରେ ଆସିଥିବା ଅମିତ ଶାହ ସାଲେପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ସେଠାରେ ଆୟୋଜିତ ‘ଜବାବ ମାଗୁଛି ଓଡ଼ିଶା’ ଜନସଭାରେ ଯୋଗଦେଇ ନିଜ ଅଭିଭାଷଣରେ ସେ କହିଛନ୍ତି ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ପ୍ରକଳ୍ପ ଜରିଆରେ ୫,୧୩,୦୦ କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ଏହି ଟଙ୍କା ଲୋକଙ୍କ ପାଖରେ ପହଞ୍ଚି ନାହିଁ। ଯାହା ଫଳରେ ଓଡ଼ିଶାର ବିକାଶ ହୋଇନାହିଁ। ନବୀନ ସରକାର ୧୯ ବର୍ଷ ଧରି ଓଡ଼ିଶାକୁ ଶାସନ କରିଲାଣି। ଏଥର ନବୀନ ଶାସନକୁ ସମାପ୍ତ କରନ୍ତୁ ବୋଲି ଶ୍ରୀ ଶାହା ଆହ୍ଵାନ କରିଥିଲେ।

ଏଥିସହ ସେ କହିଥିଲେ, ଓଡ଼ିଶାବାସୀ କଂଗ୍ରେସକୁ ଲମ୍ବା ମୌକା ଦେଇଛନ୍ତି,ନବୀନ ବାବୁଙ୍କୁ ୧୯ ବର୍ଷ ଦେଇଛନ୍ତି କିନ୍ତୁ ରାଜ୍ୟର ବିକାଶ ହୋଇନାହିଁ। ନରେନ୍ଦ୍ର ମୋଦିଙ୍କୁ କେବଳ ୫ ବର୍ଷ ସରକାରରେ ଆସିବାକୁ ଦିଅନ୍ତୁ ବିକାଶ କରି ଦେଖାଇଦେବୁ। ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଯଦି ଗୋଟିଏ ଯିବ ,ଅନ୍ୟଟି ଆସିବ। ତେବେ କିଛି ବି ଲାଭ ହେବ ନାହିଁ। ଓଡ଼ିଶା ଯେମିତି ଗରିବ ରହିଛି,ସେମିତି ରହିଥିବ ବୋଲି କହିଛନ୍ତି ଅମିତ ଶାହା।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶାହା କହିଥିଲେ,ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହେଁ, କାହିଁକି ଓଡ଼ିଶାର ଗରିବ ଲୋକେ ଆୟୁଷ୍ମାନ ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି? ଅନ୍ୟପକ୍ଷରେ କର୍ମୀଙ୍କ ଉଦ୍ଦେଶ୍ୟରେ ଆହ୍ଵାନ କରିଥିଲେ, ଆପଣମାନେ ସଂକଳ୍ପ କରନ୍ତୁ, ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଆ ଭାଷା କହିପାରୁଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରିବେ। ନବୀନ ସରକାର ରାଜ୍ୟର ବିକାଶ ଚାହୁଁ ନାହିଁ। ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ମୌକା ଦିଅନ୍ତୁ ସେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିଦେବେ। ବିଜେପି ସରକାରକୁ ଆସିଲେ, ଏକ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଢ଼ିବ ବୋଲି ସେ ଘୋଷଣା କରିଥିଲେ।

କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ ବୁଲି ଦେଖିଥିଲେ।

Leave A Reply

Your email address will not be published.