ବରଗଡ଼,୧୧/୧: ବରଗଡ଼ରେ ଆଜି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଉଦ୍ଘାଟିତ ହୋଇ ଯାଇଛି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ସାଂସଦ ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ରାଜ ଅତିଥି ଭାବରେ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ, ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଅତିଥି ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସଂଯୋଜକ ସୁରେଶ୍ୱର ଶତପଥୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଜ ଦରବାର କମିଟିର ସଂଯୋଜକ ରାଜେନ୍ଦ୍ର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ରେ ୧୧ ଦିନ ପର୍ଯ୍ୟନ୍ତ କଂସ ରାଜ ଦେଖିବାକୁ ମିଳିବ।
ଧନୁଯାତ୍ରା ପାଇଁ ବରଗଡ଼ ଉତ୍ସବ ମୁଖର ହୋଇ ଉଠିଛି। ଯାତ୍ରା ପ୍ରେମୀ ଲୋକଙ୍କୁ ଶୀତ କିଛି କରିପାରୁ ନାହିଁ। ପ୍ରଥମ ଦିନ ହୋଇଥିବାରୁ ମୀନାବଜାର ସଂପୂର୍ଣ୍ଣ ରୂପେ ପରିଚାଳିତ ହୋଇ ପାରି ନାହିଁ। ଶନିବାର ଠାରୁ ଧନୁଯାତ୍ରାରେ ଅଧିକ ଲୋକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।