ବଲିଉଡ୍ ଇଣ୍ଡଷ୍ଟ୍ରୀରେ କାମ କରି ପ୍ରଶଂସା ସାଉଁଟିବା ପରେ ପ୍ରିୟଙ୍କା ଏବେ ବିଶ୍ୱର ସବୁଠାରୁ ବଡ ମନୋରଂଜକ ସଂସ୍ଥା ହଲିଉଡ୍ରେ ପାଦ ଥାପି ସାରିଛନ୍ତି । ଖାଲି ଏତିକି ନୁହେଁ ପ୍ରିୟଙ୍କା ହଲିଉଡ୍ ସିଙ୍ଗର ନିକ୍ ଜୋନାସ୍ଙ୍କୁ ବିବାହ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛନ୍ତି । ସାରା ବିଶ୍ୱରେ ପ୍ରିୟଙ୍କା ଏବେ ଜଣାଶୁଣା । ମଣିଷ ସଫଳତା ହାସଲ କଲେ ତା’ ବ୍ୟବହାରରେ ପରିବର୍ତ୍ତନ ଆସିବା ସ୍ୱଭାବିକ । କିନ୍ତୁ ପ୍ରିୟଙ୍କାଙ୍କ ସ୍ୱଭାବକୁ ନେଇ ତାଙ୍କୁ ଜଣେ ଯୁବକ ଜୀବନରୁ ମାରିଦେବାର ଇଚ୍ଛା ପ୍ରକଟ କରିଛନ୍ତି । ସୋସାଲ ମିଡିଆରେ ଏହି ଯୁବକଙ୍କ ଭିଡିଓ ଏବେ ଘୁରି ବୁଲୁଛି । ଏମ୍ଟିଭିରେ ପ୍ରସାରିତ ରିଆଲିଟି ଶୋ’ ‘ରୋଡିଜ୍ ଦ ରିୟଲ୍ ହିରୋ’ର ଅଡିସନ୍ ଚାଲିଥିବାବେଳେ ଅଡିସନ୍ରେ ଯୋଗ ଦେଇଥିଲେ ଜଣେ ପ୍ରତିଯୋଗୀ ଯେ ଜଣେ ପ୍ରଫେସନାଲ୍ ଡ୍ୟାନ୍ସର । ତେବେ ଅଡିସନ୍ରେ ସାମିଲ୍ ହେବା ପାଇଁ ଯେଉଁ ଫର୍ମ ଫିଲପ୍ କରିବାକୁ ପଡେ ସେଥିରେ ଏହି ପ୍ରତିଯୋଗୀ (ସାରଙ୍ଗ) ପ୍ରିୟଙ୍କାଙ୍କୁ ମାରିବାର ଇଚ୍ଛା ପ୍ରକଟ କରିଥିବା କଥା ଲେଖିଥିଲେ । ଏହି ପ୍ରତିଯୋଗୀଙ୍କୁ ଶୋ’ର ଟିମ୍ ଲିଡର୍ ନେହା ଧୁପିଆ ପ୍ରିୟଙ୍କାଙ୍କୁ ମାରିବାକୁ ଚାହୁଁଥିବା ସାରଙ୍ଗଙ୍କୁ ଏହାର କାରଣ ପଚାରିଥିଲେ । ଉତ୍ତରରେ ସାରଙ୍ଗ କହିଲେ ଯେ ପ୍ରିୟଙ୍କାଙ୍କ ସହ ମୁଁ କାମ କରିଛି… ଗୋଟିଏ ପୋଗ୍ରାମ ପାଇଁ ଆମେ ନ ଖାଇ ନ ପିଇ ନାଚ ଅଭ୍ୟାସ କରିବା ସତ୍ତେ୍ୱ ଶେଷରେ ପ୍ରିୟଙ୍କା ଆସି ନାଚର ସବୁ ଷ୍ଟେପ୍ ବଦଳାଇ ଦେଇଥିଲେ, ଯାହା ପାଇଁ ଆମକୁ ଅନେକ ଅସୁବିଧାରେ ସମ୍ମୁଖିନ ହେବାକୁ ପଡିଥିଲା । ଖାଲି ଏତିକି ନୁହେଁ ଷ୍ଟାର ହେବା କାରଣରୁ ପ୍ରିୟଙ୍କା ଆମମାନଙ୍କୁ ଭଲବ୍ୟବହାର ଦେଖାଉ ନ ଥିଲେ । ଏହା ସହ ସାରଙ୍ଗ କହିଛନ୍ତି ପ୍ରିୟଙ୍କାଙ୍କର ସ୍ୱଭାବ ଜମା ଭଲ ନୁହେଁ । ସାରଙ୍ଗଙ୍କ ଏ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଓ ସୋସାଲ ମିଡିଆ ୟୁଜର ଭାଇରାଲ ଭିଡିଓରେ ଅନେକ କମେଣ୍ଟ ଦେଉଛନ୍ତି । ଏ ଭିଡିଓ ନେଇ ପ୍ରିୟଙ୍କାଙ୍କର କୌଣସି କପ୍ରତିକ୍ରିୟା ମିଳିପାରି ନାହିଁ ।