ଭାରତ ଉପରେ ଆକ୍ରମଣ ପାଇଁ ଲସ୍କର ଏବଂ ଆଇଏସ୍‌ର ବ୍ଲ୍ୟୁ ପ୍ରିଣ୍ଟ

0

ନୂଆଦିଲ୍ଲୀ,୨୩/୭: ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ଓ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଆର୍ମି ସହ ମିଶି ଯୋଜନା କରୁଛି ଲସ୍କର-ଏ-ତୋଏବା ଏବଂ ଆଇଏସ୍‌। କେବଳ ଭାରତ ନୁହେଁ ଆଫଗାନିସ୍ତାନରେ ଥିବା ଆମେରିକାର ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ମଧ୍ୟ ଏହି ୩ ଗୋଷ୍ଠୀ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ସହ ଜଡ଼ିତ ଥିବା ବରିଷ୍ଠ ଅଧିକାରୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ଆଫଗାନିସ୍ତାନର କୁନାର ପ୍ରଦେଶ ଡନଗାମ ଜିଲ୍ଲାରେ ଥିବା ଜାବା ଅଞ୍ଚଳରେ ଲସ୍କର ହ୍ୟାଣ୍ଡଲର, ପାକିସ୍ତାନ ଆର୍ମି ଓ ପାକିସ୍ତାନ ଗୁଇନ୍ଦାସଂସ୍ଥା ଆଇଏସ୍‌ଆଇଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ଆଫଗାନିସ୍ତାନରେ ସକ୍ରିୟ ଥିବା ଆଇଏସ୍‌ ସହ ମିଶି ଲସ୍କର ଆତଙ୍କୀମାନେ ଭାରତ ଓ ଆମେରିକାର ବିଭିନ୍ନ ପ୍ରତିଷ୍ଠାନ ଉପରେ ହମ୍‌ଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ପ୍ରତିଷ୍ଠାନ ନୁହେଁ, ଭାରତ ଓ ଆମେରିକାର ଗୁଇନ୍ଦା ଅଧିକାରୀ ଓ ରାଷ୍ଟ୍ରଦୂତଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ବିଶେଷ କରି ପାକିସ୍ତାନରୁ ଆତ୍ମଘାତୀ ଆତଙ୍କୀଙ୍କ ଦ୍ୱାରା ଆକ୍ରମଣ କରିବାକୁ ସଂଗଠନର ସଦସ୍ୟମାନଙ୍କୁ ପାକିସ୍ତାନ ଆର୍ମି କହିଛି।

ପାକିସ୍ତାନ ଏବେ ଆମେରିକା ଓ ଏଫଏଟିଏଫ୍‌ ରାଡାରରେ ଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ କରୁଥିବା ଲସ୍କର ପ୍ରତିଷ୍ଠାତା ହାଫିଜ୍ ସୟିଦ ଓ ଅନ୍ୟ ୧୨ ଜଣଙ୍କୁ ପାକିସ୍ତାନ ସରକାର ଗିରଫ କରିଥିଲେ। ଏବେ ବି ହାଫିଜ ଜେଲରେ ରହିଛି। ତଥାପି ପାକିସ୍ତାନ ଆର୍ମି ବିଭିନ୍ନ ଆତଙ୍କୀ ସଂଗଠନର ସଦସ୍ୟମାନଙ୍କ ସହ ବୈଠକ ଜାରି ରଖିଛି।

Leave A Reply

Your email address will not be published.