ମହାପ୍ରଭୁଙ୍କ ପ୍ରିୟ ପ୍ରସାଦ ଖଜାକୁ ନେଇଗଲା ବିହାର

0

ପୁରୀ,୮/୧: ରସଗୋଲା ପରେ ଏବେ ପୁରୀ ଖଜା ବି ଓଡ଼ିଶା ହାତରୁ ଖସିଯାଇଛି। ମହାପ୍ରଭୁଙ୍କ ପ୍ରିୟ ପ୍ରସାଦ ଖଜା ଆଉ ଓଡ଼ିଶା କି ପୁରୀର ଉତ୍ପାଦ ହୋଇ ରହିନାହିଁ। ଏହା ବର୍ତ୍ତମାନ ବିହାର ନାଳନ୍ଦା ଜିଲ୍ଲାର ସ୍ବତ୍ତ୍ବ ହୋଇଯାଇଛି। ଗଲା ଡିସେମ୍ବର ୧୧ ତାରିଖରେ ଚେନ୍ନାଇସ୍ଥିତ ଜିଆଇଆର୍‌ ସଂସ୍ଥା ଖଜା ବିହାରର ବୋଲି ଜିଆଇ ଟ୍ୟାଗ୍ (ମାନ୍ୟତା) ପ୍ରଦାନ କରିଛି। ବିଡ଼ମ୍ବନାର ବିଷୟ ହେଉଛି, ସବୁ ତଥ୍ୟ ପ୍ରମାଣ ଥ‌ାଇ ମଧ୍ୟ ଓଡ଼ିଶାର ନିଜସ୍ବ ଉତ୍ପାଦକୁ ଗୋଟିଏ ପରେ ଗୋଟିଏ ଅନ୍ୟ ରାଜ୍ୟମାନେ ଛଡାଇ ନେଉଛନ୍ତି। ଆବେଦନକାରୀଙ୍କ ବଳିଷ୍ଠ ଯୁକ୍ତି ଓ ତଥ୍ୟପ୍ରମାଣକୁ ଭିତ୍ତି କରି ନାଳନ୍ଦାର ସିଲାଓ ଖଜାକୁ ଜିଆଇ ଟ୍ୟାଗ୍‌ ମିଳିଛି। ତେବେ ସିଲାଓ ଖଜା ଉଦ୍ୟୋଗ ସଂପର୍କରେ ଜିଆଇଆର୍‌ ସଂସ୍ଥ‌ାକୁ ଦିଆଯାଇଥିବା ତଥ୍ୟ ପ୍ରମାଣଠାରୁ ଢେର ପୁରାତନ ପ୍ରମାଣ ଶ୍ରୀମନ୍ଦିର ଇତିହାସ ପରମ୍ପରାରେ ରହିଥିଲେ ମଧ୍ୟ ପୁରୀର ନାମକରା ଖଜା ନିଜସ୍ବ ପରିଚୟରୁ ବଞ୍ଚିତ ହୋଇଛି। ବିହାର ଖଜା ଏବର ହୋଇଥିବା ବେଳେ ପୁରୀ ଖଜାର ଇତିହାସ ବହୁ ପୁରାତନ। ବ୍ରିଟିଶ ଆର୍କିଓଲୋଜିଷ୍ଟ ଜେ.ଡି.ବେଗଲର ୧୮୭୨-୭୩ରେ ନାଳନ୍ଦା ପରିଭ୍ରମଣରେ ସମୟରେ ସିଲାଓ ଖଜା ସଂପର୍କରେ ଉ‌‌ଲ୍ଲେଖ କରିଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତରେ ଶ୍ରୀମନ୍ଦିରରେ ଖଜା ଭୋଗ କାହିଁ କେଉଁ ପ୍ରାଚୀନ କାଳରୁ ଚାଲି ଆସୁଛି। ଶ୍ରୀମନ୍ଦିର ଭୋଗ ଓ ନୀତି ସହିତ ଖଜା ଭୋଗର ନିବିଡ ସଂପର୍କ ରହିଛି। ଶ୍ରୀମନ୍ଦିରକୁ ଯେତିକି ବର୍ଷ, ଖଜ‌ା‌ ଭୋଗର ଉତ୍ପତି ମଧ୍ୟ ସେତିକ ବର୍ଷର।

ଶ୍ରୀମନ୍ଦିର ସ୍ବତ୍ବଲିପି ମୁତାବକ, ଶ୍ରୀମନ୍ଦିର ଆରମ୍ଭରୁ ସନ୍ଧ୍ୟ‌ା ଧୂପ ସମୟରେ ଖଜ‌ା ଭୋଗ ଲାଗି ହୋଇ ଆସୁଥିବାର ସ୍ପଷ୍ଟ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ୫୬ ଭୋଗରେ ଯେଉଁ ସବୁ ଶୁଖିଲା ‌ଭୋଗ ରହିଛି ସେଥିମଧ୍ୟରୁ ଖଜା ଭୋଗ ଅନ୍ୟତମ। ସୁତରାଂ ଖଜାର ଉତ୍ପତିସ୍ଥଳ ଯେ ପୁରୀ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଅଥଚ ସଂସ୍କୃତି ବିଭାଗର ଉଦାସୀନତା କାରଣରୁ ପୁରୀ ପ୍ରସିଦ୍ଧ ଖଜା ଏବେ ଓଡ଼ିଶା ହାତରୁ ଖସିଗଲା। ରସଗୋଲାକୁ ନେଇ ମଧ୍ୟ ୨୦୧୫ରୁ ଓଡ଼ିଶା-ବଙ୍ଗଳା ମଧ୍ୟରେ ବିବାଦ ଦେଖାଦେଇଥିଲା। ରସଗୋଲାର ଉତ୍ପତି ବଙ୍ଗଳାରେ ଓ ନବୀନ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ୧୮୬୦ରେ ଏହି ମିଠା ପ୍ରସ୍ତୁତ କରିଥି‌ଲେ ବୋଲି ଯୁକ୍ତି ବାଢି ପଶ୍ଚିମବଙ୍ଗକୁ ରସଗୋଲାର ଜିଆଇ ମାନ୍ୟତା ମିଳିଥିଲା। ଏହାକୁ ନେଇ ସେତେବେଳେ ତୁମ୍ବିତୋଫାନ ହେବା ପରେ ରାଜ୍ୟ ସରକାର ବହୁ ବିଳମ୍ବରେ ଚେତିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରୁ ୨୬୭ ପ୍ରକାର ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିଛି। ସେଥିରୁ ପଶ୍ଚିମବଙ୍ଗର ୧୨ଟି ଥିବା ବେଳେ ଓଡ଼ିଶାର ୧୫ଟି ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି।

SBI AD
Leave A Reply

Your email address will not be published.