ଲକ୍ଷ୍ନୌ,୧୦/୬: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିବା ପାଇଁ ଘରେ ପହଞ୍ଚିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଲାୟମଙ୍କୁ କୁମ୍ଭ ପୁସ୍ତିକା ମଧ୍ୟ ପ୍ରଦାନ କରିଛନ୍ତି। ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ଶିବପାଲ ସିଂହ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ, ମୁଲାୟମ ସିଂହ ଯାଦବଙ୍କ ସ୍ଵାସ୍ଥ୍ୟ ବିଗିଡିବାରୁ ଗତକାଲି ଲକ୍ଷ୍ନୌ ସ୍ଥିତ ଲୋହିଆ ଇନଷ୍ଟିଚ୍ୟୁୟଟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ମୁତାବକ ମୁଲାୟମ ରକ୍ତ ସର୍କରା ସ୍ତର ଅଧିକ ହୋଇ ଯାଇଥିଲା। ଏହା ପରେ ଜରୁରୀ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରିବାକୁ ପଡିଥିଲା। ପରେ ସ୍ଥିତି ସ୍ଵାଭାବିକ ହେବା ପରେ ତାଙ୍କୁ ବିଳମ୍ଵିତ ରାତ୍ରି ପ୍ରାୟ ୨ଟାରେ ଡିସଚାର୍ଜ କରାଯାଇଥିଲା। ଏହି ସମୟରେ ନେତାଜୀଙ୍କ ଛୋଟ ଭାଇ ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ସିଂହ ଯାଦବ ମଧ୍ୟ ତାଙ୍କର ସ୍ଵାସ୍ଥ୍ୟ ବିଷୟରେ ଜାଣିବା ପାଇଁ ହସ୍ପିଟାଲ ପହଞ୍ଚିଥିଲେ। ସୋମବାର ମୁଖ୍ୟମନ୍ତ୍ରୀ ତାଙ୍କ ଘରକୁ ଯାଇ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ଏହାର କିଛି ଦିନ ପୂର୍ବେ ମୁଲାୟମ ସିଂହଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବୁଝିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହସ୍ପିଟାଲ ପହଞ୍ଚିଥିଲେ। ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ସାକ୍ଷାତର ଫୋଟ ଭାଇରାଲ ମଧ୍ୟ ହୋଇଥିଲା।