ନୂଆଦିଲ୍ଲୀ,୩/୧: ଲୋକସଭାରେ ରାଫେଲ ଚୁକ୍ତି ପ୍ରସଙ୍ଗକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଘେରିବା ପରେ ବିତର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ରାଫେଲ୍ ଏବଂ ଅନ୍ୟ ରଣନୀତିକ ପ୍ରସଙ୍ଗରେ ସାମ୍ନାସାମ୍ନି ବିତର୍କ କରିବାକୁ ମୁଁ ମୋଦୀଙ୍କୁ ଆହ୍ବାନ ଦେଉଛି। ରାଫେଲ ଚୁକ୍ତି ଉପରେ ୨୦ ମିନିଟ୍ ଧରି ବିତର୍କ କରିବାକୁ ମୁଁ ପ୍ରସ୍ତୁତ। ତେବେ ଏହି ପ୍ରସଙ୍ଗରେ ମୋଦୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକୁ ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ରାହୁଲ ଦର୍ଶାଇଛନ୍ତି। ଅଡିଓ ଟେପ୍ ବାବଦରେ ସେ କହିଛନ୍ତି, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏହି ଟେପ୍ରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖୋଲାଖୋଲି ଭାବେ ଧମକାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବ୍ଲାକ୍ମେଲ୍ କରିବାକୁ ସେ ଧମକ ଦେଉଥିବା ସ୍ପଷ୍ଟ ଭାବେ ଜଣାପଡୁଛି। ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ବାବଦରେ ପାରିକରଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ରାଫେଲ୍ ଚୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଦାବି କରି ଏହାର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ କରାଯିବା ଉଚିତ। ଜେପିସି ତଦନ୍ତ ହେଲେ ଦୁଇଜଣଙ୍କ ନାମ ଆସିବ। ଏମାନଙ୍କ ମଧ୍ୟରୁ ଜଲେ ଶିଳ୍ପପତି ଅନୀଲ ଅମ୍ବାନି ହୋଇଥିବା ବେଳେ ଅନ୍ୟଜଣକ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଲି ରାହୁଲ ଦର୍ଶାଇଛନ୍ତି।