ଭୁବନେଶ୍ୱର : ବିଡିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ଡଟ୍ ଫେଷ୍ଟ୍ ଏବଂ ଫୁଡ୍ ଫେଷ୍ଟିଭାଲ୍। ମଧୁସୂଦନ ମାର୍ଗ ରାସ୍ତା ପାଲଟିଛି ଚେସ୍ ବୋର୍ଡ। ପଡ଼ିଆରୁ ଭାସି ଆସୁଛି ଦେଶୀ ବିଦେଶୀ ଖାଦ୍ୟର ମହକ। ସଂଜ ବୁଡ଼ିଲେ ପ୍ରଦର୍ଶନୀ ପଡ଼ିଆ ପାଲଟୁଛି ମିନି ବଲିଉଡ୍। ଗୋଟେ ପଟେ ଚଟ୍ପଟି ଖାଦ୍ୟର ମହମହ ବାସ୍ନା, ଅନ୍ୟପଟେ ଧୁମ ଧଡ଼କା ସଂଗୀତର ମନମତାଣିଆ ଆସର। ଯେମିତି ରାଜଧାନୀରେ ମାଖି ହୋଇଛି ଅଦିନିଆ ରଙ୍ଗ। ହକି ବିଶ୍ବକପ୍ ମହାକୁମ୍ଭ ସାଙ୍ଗକୁ ମନୋରଂଜନର ହବ୍ ପାଲଟିଛି ରାଜଧାନୀ। ଏହି ଅବସର ଆଣି ଦେଇଛି ବିଡିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍ ଫେଷ୍ଟ୍ ଏବଂ ଫୁଡ୍ ଫେଷ୍ଟିଭାଲ୍। ପୂରା ମଧୁସୂଦନ ମାର୍ଗକୁ ରଙ୍ଗ ଓ ଆଲୁଅରେ ଏମିତି ସଜା ଯାଇଛି, ଯେମିତି ରାସ୍ତା ଓ ଗଛଲତା କଥା କହୁଛି। ଏ ସ୍ଥାନରେ ପାଦ ଥାପିବା କ୍ଷଣି ଏକ ନୂଆ ଦୁନିଆକୁ ପଶି ଆସିବା ଭଳି ହୃଦ୍ବୋଧ ହେଉଛି। ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ପୂଜାରୀ କାର୍ଯ୍ୟକ୍ରମ ଉଦ୍ଘାଟନ ନେଇ ଘୋଷଣା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ।