ନୂଆଦିଲ୍ଲୀ,୧୧/୧୨: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ତଥା ବର୍ତ୍ତମାନ ଅର୍ଥ ଆୟୋଗର ସଦସ୍ୟ ଥିବା ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ । ଗତକାଲି ଉର୍ଜିତ ପଟେଲ ଇସ୍ତଫାଦେବା ପରେ ଏହି ପଦବୀ ଖାଲି ରହିଥିଲା । ବିମୁଦ୍ରାୟନକୁ କାର୍ଯ୍ୟକାରୀ କରିବା ଓ ଦେଶରେ ଜିଏସଟି ଲାଗୁ କରିବା କ୍ଷେତ୍ରରେ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ପୂର୍ବରୁ କେନ୍ଦ୍ର ଅର୍ଥ ସଚିବ ଏନସି ଝା କହିଥିଲେ ଯେ ଆଜି ସରକାର ନୂଆ ଗଭର୍ଣ୍ଣରଙ୍କ ନାଁ ଘୋଷଣା କରିବେ । ଗତ କାଲି ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଖାଲି ଅଛି ।
ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ଆସନ୍ତା ବର୍ଷ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ବିଷୟକୁ ନେଇ ମତଭେଦ ରହିଆସିଥିଲା । ତେବେ ଗତ ମାସରେ ସେ ଇସ୍ତଫା ଖବରକୁ ଅସ୍ୱୀକାର କରିଥିଲେ । କିନ୍ତୁ ଆଜି ସେ ହଠାତ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ବିବାଦର ଯେ ସମାଧାନ ହୋଇନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ଆଉ ମାତ୍ର ଚାରି ଦିନ ପରେ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ବସିବାକୁ ଥିବାବେଳେ ନୂଆ ଗଭର୍ଣ୍ଣର ଘୋଷଣାକୁ ନେଇ ସରକାର ଚାପରେ ଅଛନ୍ତି ।