ଶେଷ ଟି-୨୦ରେ ଟିମ୍ ଇଣ୍ଡିଆ ବିଜୟୀ : ବିରାଟଙ୍କ ଲଢୁଆ ବ୍ୟାଟିଂ

0

ସିଡନୀ, ୨୫/୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଧିନାୟକ କୋହଲିଙ୍କ ଅପରାଜିତ ଅର୍ଧଶତକ(୬୧ ରନ ) ବଳରେ କାଙ୍ଗାରୁକୁ ୬ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୧୬୫ରନର ବିଜୟ ଲକ୍ଷ୍ୟକୁ ବିରାଟ ସେନା ୧୯.୪ ଓଭରରେ ହାସଲ କରିନେଇଛି । ଏହା ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ଡ୍ର ରଖିବାରେ ସଫଳ ହୋଇଛି । ଦ୍ୱିତୀୟ ମ୍ୟାଚ ବର୍ଷା ପାଇଁ ଡ୍ର ରହିଥିଲା । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଡାର୍କେ ସର୍ଟଙ୍କ ସର୍ବାଧିକ ୩୩ ରନ ବଳରେ ୬ ୱିକେଟ ହରାଇ ୧୬୪ ରନ କରିଥିଲା । ଏହା ସହ ଭାରତକୁ ୧୬୫ ରନର ଟାର୍ଗେଟ ଦେଇଥିଲା । ଦଳ ପକ୍ଷରୁ ଆଲେକ୍ସ କେରୀ ୨୭ ଏବଂ ଆରୋନ ଫିଞ୍ଚ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ସେହପରି ଭାରତୀୟ ବୋଲର କୃଣାଲ ପାଣ୍ଡ୍ୟା ୪ ଓଭରରେ ୩୬ ରନ ଦେଇ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ କୁଳଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ ।

ଜବାବରେ ଦ୍ୱିତୀୟ ଇନିଂସରେ ପଡିଆକୁ ଓହ୍ଲାଇଥିବା ଭାରତ ଭଲ ଆରମ୍ଭ କରିଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଏବଂ ଶିଖର ଧାୱନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଏହାପରେ ଏହି ଦୁଇ ଓପନର ମାତ୍ର କିଛି ରନ ବ୍ୟବଧାନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଦୁହେଁ ଯଥାକ୍ରମେ ୨୩ ଏବଂ ୪୧ ରନ ସ୍କୋର କରିଥିଲେ । ଏହାପରେ ରନ ଗତି କିଛି ସମୟ ପାଇଁ ଧିମେଇ ଯାଇଥିଲା । ତେବେ ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ଅର୍ଧଶତକ ଏବଂ ଦିନେଶ କାର୍ତିକଙ୍କ ଉପଯୋଗୀ ବ୍ୟାଟିଂ ଦଳକୁ ବିଜୟ ଦ୍ୱାରକୁ ନେଇଥିଲା । କୋହଲି ମାତ୍ର ୪୧ ବଲରୁ ୬୧ ରନ କରିଥିବା ବେଳେ କାର୍ତିକ ୨୨ ଏବଂ ରାହୁଲ ୧୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱଲ ଏବଂ ଆଣ୍ଡ୍ର୍ୟି୍ ଟାଇ ଗୋଟିଏ ଲୋଖଏଁ ୱିକେଟ ନେଇଥିଲେ ।

SBI AD
Leave A Reply

Your email address will not be published.