ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲିଜେଣ୍ଡ ଅଭିନେତା ଶଶି କପୁର । ୧୯୩୮ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଜଣକ ଆଜି ଘରେ ଘରେ ବେଶ୍ ପରିଚିତ । ଅଭିନୟ ପାଇଁ ୨୦୧୧ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ । ୨୦୧୫ରେ ତାଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ବି ସମ୍ମାନିତ କରାଯାଇଥିଲା । ତେବେ ଶଶି ହେଉଛନ୍ତି, ବିଶିଷ୍ଟ ଅଭିନେତା ପୃଥିବୀରାଜ କପୁରଙ୍କ ପୁଅ । ଶଶି କପୁର ୪୦ଦଶକରୁ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ପିଲାଟି ବେଳରୁ ହିଁ ତାଙ୍କର ଅଭିନୟ ପ୍ରତି ଖୁବ୍ ରୁଚି ରହିଥିଲା। ସ୍କୁଲ୍ରେ ପଢିଲା ସମୟରେ ଯେତେବେଳେ ଛୁଟି ହେଉଥିଲା, ସେତେବେଳେ ଶଶି ବାପାଙ୍କ ସହ ଷ୍ଟୁଡ଼ିଓକୁ ଯାଇ ଅଭିନୟ ଶିଖୁଥିଲେ । ସିନେମା ଜଗତରେ ବଡ଼ ଭାଇ ରାଜକପୁର ତାଙ୍କୁ ପ୍ରଥମଥର ପାଇଁ ଫିଲ୍ମ ‘ଆଗ’ (୧୯୪୮) ଓ ‘ଆୱାର’(୧୯୫୧)ରେ ବ୍ରେକ୍ ଦେଇଥିଲେ । ସେଇଠାରୁ ହିଁ ଆରମ୍ଭ ହୋଇଥିଲା ଶଶିଙ୍କ ଫିଲ୍ମ ସଫର । ତେବେ ୟଶ୍ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ୱାକ୍ତ’ ହିଁ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା । ୭୦ଦଶକ ବେଳକୁ ଚୋର ମଚାଏ ଶୋର, ଦିୱାର, କଭି-କଭି, ସିଲସିଲା, ତ୍ରିଶୁଳ, ନମକ ହଲାଲ ଆଦି ହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ । ୨୦୧୭ ଡିସେମ୍ବର ୩ରେ ଏହି ଲିଜେଣ୍ଡାରୀ ଅଭିନେତାଙ୍କର ଜୀବନ ଦ୍ୱୀପ ଲିଭି ଯାଇଥିଲା ।