ଭୁବନେଶ୍ୱର,୭/୩ : ମାଗଣା ଆମ୍ବୁଲାନ୍ସ ସେବା ପ୍ରଦାନ କରି ଲୋକଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ଇତିମଧ୍ୟରେ ପୂରିଛି ୬ବର୍ଷ। ରାଜ୍ୟରେ ୨୦୧୩ ମାର୍ଚ୍ଚରେ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ପରେ ଏହା ୨୧ଲକ୍ଷରୁ ଅଧିକ ରୋଗୀଙ୍କୁ ଜରୁରିକାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନ କରିଛି। ରାଜ୍ୟର ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ରୋଗୀମାନେ ଏହାର ସୁବିଧା ପାଇପାରିଛନ୍ତି। ଏହି ଆମ୍ବୁଲାନ୍ସ ସେବା ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାକୁ ଆଉପାଦେ ଆଗକୁ ନେଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନ୍ଏଚ୍ଏମ୍)ର ମିଶନ ଡାଇରେକ୍ଟର ଶାଲିନୀ ପଣ୍ଡିତ କହିଛନ୍ତି।
ଏନ୍ଏଚ୍ଏମ୍ ଓଡ଼ିଶା ସହବନ୍ଧିତାରେ ଜିକିତ୍ସା ହେଲ୍ଥକେୟାର ଲିଃ. ଦ୍ୱାରା ପରିଚାଳିତ ହେଉଥିବା ୧୦୮ ଆମ୍ବୁଲାନ୍ସର ୬ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ଥାନୀୟ ଜିକିତ୍ସା ହେଲ୍ଥକେୟାର କାର୍ଯ୍ୟାଳୟଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଶାଲିନୀ ପଣ୍ଡିତ ଉଦ୍ଘାଟନ କରିଥିଲେ। ସଂସ୍ଥାର ଶତାଧିକ କର୍ମଚାରୀ ଓ ସଦସ୍ୟ ଏଥିରେ ଅଂଶଗ୍ରହଣ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲ୍ଥକେୟାରର ସବ୍ୟସାଚୀ ବିଶ୍ୱାଳ ଜୀବନରକ୍ଷାକାରୀ ଏହି ଆମ୍ବୁଲାନ୍ସ ସେବା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ଏକ ବୃହତ୍ ପ୍ରଭାବ ପକାଇ ପାରିଥିବା କହିଥିଲେ। ଓଡ଼ିଶାରେ ୪,୨୦,୦୦୦ ଲିଟର ରକ୍ତ ଆବଶ୍ୟକ ଥିବାବେଳେ ରକ୍ତଭଣ୍ଡାର ବିଭିନ୍ନ ଉତ୍ସରୁ ୩,୭୯,୦୦୦ ଲିଟର ରକ୍ତ ସଂଗ୍ରହ କରିପାରିଛି। ଆମେ ଏହି ଉଦ୍ୟମ ଦ୍ୱାରା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ଏକ ଛୋଟ ସାହାଯ୍ୟ କରିବାର ପ୍ରୟାସ କରୁଛୁ ବୋଲି ସେ କହିଥିଲେ। ସମ୍ପ୍ରତି ଓଡ଼ିଶାର ୩୦ ଜିଲାରେ ୫୧୨ଟି ଆମ୍ବୁଲାନ୍ସ ମାଧ୍ୟମରେ ୧୦୮ ଜରୁରିକାଳୀନ ସେବା ପ୍ରଦାନ କରାଯାଉଛି। ଏହି ସେବା ଦ୍ୱାରା ବିଗତ ୫ବର୍ଷ ଧରି ୨,୧୬୪,୯୧୭ରୁ ଅଧିକ ରୋଗୀ ସୁବିଧା ପାଇଛନ୍ତି।