ସୋନପୁର,୬/୪: ପ୍ରଥମେ ସୁନ୍ଦରଗଡ଼ର କିରେଇ ଛତାବର ପଡ଼ିଆରେ ଶନିବାର ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନପୁରରେ ପହଞ୍ଚିଛନ୍ତି। ଏଠାରେ ସେ ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଜନସାଧାରଣଙ୍କୁ ଓଡ଼ିଆରେ ସମ୍ବୋଧନ ସହ ଜୁହାର କହି ସେ ବକ୍ତବ୍ୟ ଆରମ୍ଭ କରିଛନ୍ତି।
ମୋଦି କହିଛନ୍ତି, ବାରାଣସୀ ଓ ସୁବର୍ଣ୍ଣପୁର ମଧ୍ୟରେ ବହୁ ସମାନତା ରହିଛି। ଉଭୟ ମନ୍ଦିର ସହର। ଉଭୟଙ୍କୁ ମହାପ୍ରଭୁଙ୍କ କୃପା ମିଳିଛି। ସମଗ୍ର ଓଡ଼ିଶାରେ ଏବେ ଲହର ଚାଲିଛି। ହେଲେ କିଛି ଲୋକଙ୍କୁ ଏହା ଦେଖାଯାଉନାହିଁ। ମାତ୍ର କଂଗ୍ରେସ ସରକାର ଉଚ୍ଚ ନୀଚ ବିଷ ମଞ୍ଜି ବୁଣିଛି। ଏହାର ଫାଇଦା ନକ୍ସଲକୁ ପ୍ରଶ୍ରୟ ଦେଉଥିବା ଲୋକ ଉଠାଇଥିଲେ। ଏହାଦ୍ୱାରା ଦେଶରେ ଗରିବୀ ବଢ଼ି ବଢ଼ି ଚାଲିଲା। ସେହିଭଳି ବିଜେଡି ସରକାରରେ ଭେଦଭାବ ଛଡ଼ା ଆଉ କିଛି ମିଳିନାହିଁ।୧୯ ବର୍ଷ ଧରି ଆପଣ ଯାହାକୁ ବିଶ୍ୱାସ କଲେ ସେ କିଛି କରିନାହାନ୍ତି। ଓଡ଼ିଶାରେ ଖଣି, ଜଳ, ଜଙ୍ଗଲ ସବୁ ଅଛି। ଆପଣଙ୍କୁ ମଜବୁର ନା ମଜଭୁତ ସରକାର ଦରକାର? ଓଡ଼ିଶାରେ ବି ଏକ ମଜଭୁତ ସରକାର ଆସିବା ଦରକାର ବୋଲି ମୋଦି କହିଛନ୍ତି।
ମୋଦି କହିଛନ୍ତି, ଝାରସୁଗୁଡ଼ା ଏୟାରପୋର୍ଟ, ବିଛୁପାଲି ଷ୍ଟେଶନ ଭାଜପା ସରକାରର ବିକାଶର ସାକ୍ଷୀ। ୨୪ ଲକ୍ଷ ପରିବାରକୁ ମାଗଣା ବିଜୁଳି ମୋଦି ପ୍ରତି ବିଶ୍ୱାସର ଚିହ୍ନ। ଓଡ଼ିଶା ସରକାରଙ୍କ ଅମନଯୋଗ ନୀତି ଯୋଗୁ ଆପଣଙ୍କୁ ସୁବିଧା ମିଳୁନି। ଦିଲ୍ଲୀରେ ମଜବୁର ସରକାର ପାଇଁ ମହାମିଳନ ଚାଲିଛି। ମାତ୍ର କଂଗ୍ରେସକୁ ହଟାଇଲେ ଗରିବୀ ଆପଣାଛାଏଁ ହଟିଯିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ପୂର୍ବରୁ କଂଗ୍ରେସ ସରକାର ଥିଲା, ଏବେ ବିଜେଡି ସରକାର। ଏ ନିର୍ବାଚନ ନୂଆ ଓଡ଼ିଶା, ନୂଆ ଭାରତ ପାଇଁ ଉଦ୍ଦିଷ୍ଟ । ଦେଶରେ ଭ୍ରଷ୍ଟାଚାର ରହିବ ନା ଚୌକିଦାର ରହିବ ତାହା ଏହି ନିର୍ବାଚନ କହିବ ବୋଲି ମୋଦି କହିଛନ୍ତି।