୨୦୧୯-୨୦ ପାଇଁ ୮୧୨୬ କୋଟି ଟଙ୍କାର ଅତିରିକ୍ତ ବଜେଟ

ଭୁବନେଶ୍ୱର,୧୩/୧୧: ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଗତ ହେଲା ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷରଅତିରିକ୍ତ ବଜେଟ ଶେଷରେ ଟଣାଓଟରା ମଧ୍ୟରେ ବିଧାନସଭାରେ ଆଗତ ହୋଇଛି । ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଶୀତ ଅଧିବେଶନର ପ୍ରଥମ ଦିନ ବିଧାନସଭା ବେଶ ସରଗରମ ରହିଥିଲା । ପ୍ରଥମ ଦିନରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବିଧାନସଭା ମୁଲତବି ମଧ୍ୟ ହୋଇଥିଲା । 3ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିବା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଧ୍ୟା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାନ କରିବା ପାଇଁ ବାଚସ୍ପତିଙ୍କ ଅନୁମତି ଲୋଡିଥିଲେ । ଯାହାକୁ ବିଜେପି ଏବଂ କଂଗ୍ରେସ ବିରୋଧ କରିଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଥିଲେ ।

୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟରେ ପ୍ରାଶାସନିକ ବ୍ୟୟ ପାଇଁ ରହିଛି ୨୬୭.୨୩ କୋଟି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭ ହଜାର ୪୩୨.୮୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ସଂସଦୀୟ ବ୍ୟାପାର ବିଭାଗ ପାଇଁ ୧.୭୫ କୋଟି ବ୍ୟୟ ବରାଦ ହୋଇଛି । ଶକ୍ତି ବିଭାଗ-୮୫୧.୧୫ କୋଟି, ପର୍ଯ୍ୟଟନ ବିଭାଗ ପାଇଁ ୪୫.୫୩ କୋଟି, ସମବାୟ-୧୯୧.୦୩ କୋଟି, ମହିଳା ଓ ଶିଶୁ ବିକାଶ-୨୬୧.୨୫ କୋଟି, ପ୍ରଯୁକ୍ତି ବିଦ୍ୟା-୧୭.୦୧ କୋଟି, ଉଚ୍ଚଶିକ୍ଷା-୩୪.୫୩ କୋଟି, ଦକ୍ଷତା ବିକାଶ-୭୧.୫୭ କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୬.୫୨ କୋଟି । ଓଡ଼ିଆ ଭାଷା ଓ ସଂସ୍କୃତି- ୩.୦୭ କୋଟି, ସାମାଜିକ ସୁରକ୍ଷା-୫୦୪ କୋଟି । ସ୍ବାସ୍ଥ୍ୟ ବିଭାଗ ପାଇଁ ୪୯୧.୨୨ କୋଟିର ବ୍ୟୟ ଅଟକଳ ହୋଇଛି । ସାଧାରଣ ଅଭିଯୋଗ, ଖଣି ଓ MSME ବିଭାଗ ପାଇଁ ବ୍ୟୟ ବରାଦ ହୋଇ ନାହିଁ । ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୩ ହଜାର ୩୦୭ କୋଟି ଟଙ୍କା ରହିଛି ।