୨୦ ବର୍ଷରେ ଯୁଦ୍ଧ କ୍ଷେତ୍ରରୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେଲା “କାରଗିଲ”

0

ନୂଆଦିଲ୍ଲୀ,୨୭/୭: ଭାରତୀୟ ବୀର ଯବାନଙ୍କ ଅମର ଗାଥାର ମୂକ ସାକ୍ଷୀ କାରଗିଲର ଯୁଦ୍ଧ କ୍ଷେତ୍ରକୁ ଦେଖିବା ପାଇଁ ଏବେ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଯାଉଛନ୍ତି। ଗତ ୨୦ ବର୍ଷରେ କାରଗିଲ ଯୁଦ୍ଧ କ୍ଷେତ୍ର ଏକ ପର୍ଯ୍ୟଟନ କେନ୍ଦ୍ରରେ ବଦଳି ଯାଇଛି। ଲକ୍ଷାଧିକ ଭାରତୀୟଙ୍କୁ ପ୍ରଥମ ଥର ୧୯୯୯ରେ ଯୁଦ୍ଧ କ୍ଷେତ୍ର, କାରଗିଲର ପ୍ରାଚୀନ ସୁନ୍ଦରତାର ଝଲକ ଟିଭିରେ ଦେଖିବାକୁ ମିଳିଥିଲା।

ଯୁଦ୍ଧର ଗୋଟିଏ ବର୍ଷ ପରେ ୨୦୦୦ରେ କେବଳ ୩୦୦ରୁ ଅଧିକ ପର୍ଯ୍ୟଟକ ହିଁ ଯୁଦ୍ଧଗ୍ରସ୍ତ ସହରରେ ପହଞ୍ଚିଥିଲେ। ମାତ୍ର ୨୦୧୮ରେ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏବେ କାରଗିଲ ଏକ ଶାନ୍ତ ସହରରେ ପରିଣତ ହୋଇଛି। ସିଲ୍କ ରୁଟ୍ କାରବାର ନେଟଓ୍ଵର୍କ କାରଣରୁ ଏହି ସହର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ମାତ୍ର ଏହି ସହରକୁ ଆସୁଥିବା ସମସ୍ତ ଲୋକ ସହରଠୁ ପ୍ରାୟ ୬୦ କିମି ଦୂର କାରଗିଲ୍ ଓ୍ଵାର ମେମୋରିୟାଲ ‘କଲ ଅଫ ଡ୍ୟୁଟି’କୁ ଦେଖିବାକୁ ଆସୁଛନ୍ତି।

ଯୁଦ୍ଧ କ୍ଷେତ୍ର ଓ ନିୟନ୍ତ୍ରଣ ରେଖା ବ୍ୟତୀତ ପର୍ଯ୍ୟଟକ ସୁରୁ ଘାଟି ନିକଟରେ ଥିବା ମାଉଣ୍ଟେନିୟରିଂ ଓ ଟ୍ରାକିଙ୍ଗ କରିବା ପାଇଁ ଆସୁଛନ୍ତି। ୨୦୦୪ରେ ଏଠାକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ ଥିଲା ମାତ୍ର ୨୦୧୭ରେ ଏହା ବଢି ୬୪ ହଜାରରେ ପହଞ୍ଚିଥିଲା। କାଗରିଲ ବିକାଶ ପ୍ରାଧିକରଣର ଅଧିକାରୀ ସବ୍ବିର ହୁସୈନ କହିଛନ୍ତି ଯେ, କାରଗିଲ୍ ଯୁଦ୍ଧ ପରେ ଏହି ସହରକୁ ଏକ ନୂତନ ପରିଚୟ ମିଳିଛି। ଲୋକଙ୍କ ମନରେ ଯୁଦ୍ଧକୁ ନେଇ ଥିବା ଜିଜ୍ଞାସାକୁ ଦୂର କରିବା ପାଇଁ ଏଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଆରମ୍ଭ କରାଯାଇଛି।

Leave A Reply

Your email address will not be published.