ଆମେରିକା-ଇରାନ ମଧ୍ୟରେ ବଢିଲା ଉତ୍ତେଜନା, କାତାରରେ ଲଢୁଆ ବିମାନ ମୁତୟନ କଲା ଆମେରିକା ବାୟୁସେନା

ଓ୍ଵାଂଶିଟନ,୨୯/୬: ଆମେରିକା ଓ ଇରାନ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବଢିବାରେ ଲାଗିଛି। ଯାହା ଯୁଦ୍ଧ ପରିସ୍ଥିତିକୁ ମଧ୍ୟ ଏଡାଇ ଦିଆଯାଇନପାରେ। ଆମେରିକା ଇରାନ ସହିତ ବଢୁଥିବା ତିକ୍ତତା ମଧ୍ୟରେ ଶୁକ୍ରବାର ପ୍ରଥମ ଥର କାତାରରେ ରାଡାର ନଜରରୁ ବର୍ତ୍ତିବାରେ ସକ୍ଷମ ଏଫ-୨୨ ଲଢୁଆ ବିମାନ ମୁତୟନ କରିଛି।

ଆମେରିକା ବାୟୁସେନା ବୟାନରେ କହିଛି ଯେ, ଏଫ-୨୨ ରାପ୍ଟର ଷ୍ଟେଲଥ ବିମାନକୁ ଆମେରିକାର ପ୍ରତିରକ୍ଷା ଓ ହିତର ସୁରକ୍ଷା ପାଇଁ ମୁତୟନ କରାଯାଇଛି। ମାତ୍ର ଏହା କୁହାଯାଇ ନାହିଁ ଯେ କାତାରରେ କେତେ ବିମାନ ମୁତୟନ କରାଯାଇଛି।

ଏହାର ସମ୍ବନ୍ଧିତ ଏକ ଫଟୋରେ କାତାରର ଅଲ ଉଦିଦ ଏୟାରବେସ ଉପରେ ପାଞ୍ଚଟି ବିମାନ ଉଡୁଥିବା ଦେଖିବାକୁ ମିଳିଛି। ଏହି ବିମାନର ବିଶେଷତ୍ଵ ଏହା ଯେ, ଏହା ରାଡାରକୁ ମଧ୍ୟ ଚକମା ଦେଇ ପାରେ। ୨୦୧୫ରେ ଇରାନ ସହିତ ହୋଇଥିବା ପରମାଣୁ ରାଜିନାମାରୁ ଆମେରିକା ଓହରିଯିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଇରାନ ମଧ୍ୟ ନିଜର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ ମନା କରିବା ପରେ ଆମେରିକା ପୁର୍ନବାର ପ୍ରତିବନ୍ଧକ ଲଗାଇଛି। ଫଳରେ ବ୍ୟାବସାୟିକ ଦୃଷ୍ଟିକୋଣରୁ ଇରାନକୁ କ୍ଷତି ସହିବାକୁ ପଡ଼ୁଛି।

ଗତ ସପ୍ତାହରେ ଇରାନ ଦ୍ଵାରା ସମ୍ବେଦନଶୀଳ ଉପସାଗରୀୟ ସମୁଦ୍ର କ୍ଷେତ୍ରରେ ଆମେରିକାର ଡ୍ରୋନ ମାରି ତଳା ପକାଇବା ପରେ ଉତ୍ତେଜନା ଆହୁରି ବଢି ଯାଇଛି। ଫଳରେ ବିଶ୍ଵରେ ଯୁଦ୍ଧ ପରି ସ୍ଥିତି ଉତ୍ପନ ହେବାରେ ଲାଗିଛି।