ଆସନ୍ତାକାଲି ନିର୍ଣ୍ଣାୟକ ମୁକାବିଲା, ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ

ମେଲବର୍ଣ୍ଣ,୧୭/୧: ଭାରତ ଏବଂ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ତୃତୀୟ ତଥା ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ଟେଷ୍ଟ ସିରିଜ୍ ଜିତିଥିବା ଭାରତୀୟ ଦଳ ଆସନ୍ତାକାଲିର ମ୍ୟାଚ୍ ଜିତି ସିରିଜ୍ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବେ ୧-୧ରେ ବରାବର ରହିଛି। ଅଷ୍ଟ୍ରେଲିଆ ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୩୪ ରନରେ ବିଜୟୀ ହୋଇଥିବା ବେଳେ ଭ୍ରମଣକାରୀ ଭାରତ ଆଡିଲେଡରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ୬ ଓ୍ଵିକେଟରେ ବିଜୟୀ ହୋଇଛି।

ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ଆଜି ପର୍ୟ୍ୟନ୍ତ ଦ୍ଵିପାକ୍ଷିକ ଦିନିକିଆ ସିରିଜ୍ ଜିତି ନାହିଁ। ଏହି ଫର୍ମାଟରେ ଦଳ ଅଷ୍ଟ୍ରେଲିଆରେ ୧୯୮୫ ବିଶ୍ଵ ଚମ୍ପିଆନସିପ୍ ଓ ୨୦୦୮ରେ ସିବି ସିରିଜ୍ ଜିତିଥିଲା। ଗତ ଥର ୨୦୧୬ରେ ଅଷ୍ଟ୍ରେଲିଆ ଭାରତକୁ ୪-୧ରେ ପରାଜିତ କରିଥିଲା। ଏବେ ମେଲବର୍ଣ୍ଣରେ ଭାରତ ଯଦି ତୃତୀୟ ମ୍ୟାଚ୍ ଜିତି ନିଏ ତେବେ ୨୦୧୮-୧୯ ଗସ୍ତରେ ଭାରତୀୟ ଦଳ କୌଣସି ସିରିଜ୍ ନହାରି ଫେରିବ।