ରାୟପୁର,୨୮/୧: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଛତିଶଗଡ଼ରେ ଏକ ଚାଷୀ ସମାବେଶକୁ ସମ୍ବୋଧିତ କରିବା ସମୟରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶରେ ପ୍ରତ୍ୟେକ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ। ରାହୁଲ କହିଛନ୍ତି ଯେ ଏହା ଏକ ଐତିହାସିକ ପଦକ୍ଷେପ ହେବ ଏବଂ ଏଥିରେ ଗରିବି ଓ କ୍ଷୁଧାକୁ ସମାପ୍ତ କରିବାରେ ବେଶ୍ ସହାୟକ ହେବ। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହମଲା କରି କହିଛନ୍ତି ଯେ, ପିଏମ ମୋଦୀ ଓ ଭାରତୀୟ ଜନତା ପାର୍ଟି ଦୁଇଟି ଭାରତ ନିର୍ମାଣ କରିବାକୁ ଚାହାନ୍ତି।
ନୟା ରାୟପୁରରେ ଚାଷୀଙ୍କ ରାଲିକୁ ସମ୍ଵୋଧିତ କରି ରାହୁଲ କହିଛନ୍ତି ଯେ ଯେମିତି କଂଗ୍ରେସ ପାର୍ଟି ମନରେଗାରେ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି, ସୂଚନା ଅଧିକାରରେ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାର ଖୋଲିବାର ଗ୍ୟାରେଣ୍ଟି, ଭୋଜନ ଅଧିକାରର ଗ୍ୟାରେଣ୍ଟି ଦେଇଛି ଠିକ୍ ସେହି ପରି ୨୦୧୯ ନିର୍ବାଚନ ଜିତିଲେ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ।
କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ, ପିଏମ ମୋଦୀ ଓ ବିଜେପି ଦୁଇଟି ଭାରତ କରିବାକୁ ଚାହାନ୍ତି- ଗୋଟିଏ ରାଫେଲ ଘୋଟାଲା ଓ ଉଦ୍ୟୋଗପତି ମିତ୍ର ଏବଂ ଦ୍ଵିତୀୟଟି ହେଉଛି ଗରିବ ଚାଷୀ। ଫସଲ ବୀମା ଯୋଜନା ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଛନ୍ତି ଯେ, କାରଣ କଣ ଯେ ଚାଷୀଙ୍କୁ ନିଜର ପଇସା ବୀମା କମ୍ପାନୀକୁ ଦେବେ। ଅନ୍ୟ ପଟେ ପୂରା ଫାଇଦା ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ମିଳୁଛି। ଅଥଚ୍ ଚାଷୀଙ୍କ ପାଇଁ ଋଣଛାଡ଼ କରାଯାଉନି।
ଋଣଛାଡ଼ ଯୋଜନା ବିଷୟରେ ଉଲ୍ଲେଖ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ଯେବେ ଆମେ ବିରୋଧୀ ଭୂମିକାରେ ଥିଲୁ ତେବେ ମଧ୍ୟ ଋଣ ଛାଡ଼ କରିବା କଥା କହୁଥିଲୁ। ସରକାରଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କଲେ ଉତ୍ତର ଆସୁଥିଲା ଯେ ଅର୍ଥ ନାହିଁ। ଚାଷୀଙ୍କ ପାଇଁ ଋଣ ଛାଡ଼ କରି ପାରିବୁ ନାହିଁ। ହିନ୍ଦୁସ୍ତାନର ଚୌକିଦାର ପାଖରେ ଛତିଶଗଡ଼ ଚାଷୀଙ୍କ ପାଇଁ ୬୦୦୦ କୋଟି ଟଙ୍କା ନାହିଁ ଅଥଚ ଅନିଲ ଅମ୍ବାନୀଙ୍କ ପାଇଁ ୩୦,୦୦୦ କୋଟି ଟଙ୍କା ଅଛି।
ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଗୋଟିଏ ପ୍ରକାରର ‘ୟୁନିଭର୍ସାଲ ବେସିକ ଇନକମ ସ୍କିମ’ ପରି। ଏହି ଆଧାରରେ ସରକାର ଦେଶର ଗରିବଙ୍କୁ ବିନା ସର୍ତ୍ତରେ ଏକ ନିର୍ଦ୍ଧିଷ୍ଟ ଅର୍ଥ ଦେଇଥାନ୍ତି। ଏହାର ଅର୍ଥ ଏହା ଯେ ଯଦି ଏହି ଯୋଜନା ଲାଗୁ ହୁଏ ତେବେ ସରକାରଙ୍କୁ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଏକ ନିର୍ଦ୍ଦିଷ୍ଟ ସମୟରେ ଦେବାକୁ ପଡ଼ିବ।