ଆସନ୍ତା ୧୫ରେ ମୋଦୀଙ୍କ ବଲାଙ୍ଗୀର ଗସ୍ତ, ଏଭଳି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର ,୯/ ୧: ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ରହିଲା। ଏହି ପରିପ୍ରେକ୍ଷୀରେ ଜାତୀୟ ଦଳଠୁ ନେଇ ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର କରିଛନ୍ତି। ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ବିଜେପିର ଫୋକସରେ ଏବେ ଓଡ଼ିଶା ରହିଛି। ମିଶନ ୧୨୦କୁ ଦୃଷ୍ଟିରେ ରଖି କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଡିସେମ୍ବର ୨୪ରେ ଖୋର୍ଦ୍ଧା ଏବଂ ଜାନୁଆରୀ ୫ରେ ବାରିପଦା ଗସ୍ତ ପରେ ଆଗାମୀ ୧୫ରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହାକୁ ନେଇ ଆଜି କାର୍ଯ୍ୟସୂଚୀ ଜାରି କରାଯାଇଛି। ଏବେ ଦେଖିବା ବାକି ରହିଲା ଯେ ବାରିପଦାରେ ବିଜେଡି ପ୍ରତି ନରମ ରହିଥିବା ମୋଦୀ ବଲାଙ୍ଗୀରରେ ବିଜେଡି ପ୍ରତି କୋଠର ହେଉଛନ୍ତି ନା ନାହିଁ।

ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସିବେ । ସକାଳ ୯ଟା ୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକେପ୍ଟର ଯୋଗେ ବଲାଙ୍ଗୀର ଯିବେ। ବଲାଙ୍ଗୀରରେ ପହଂଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିରିପ୍ରସ୍ତର ସ୍ଥାପନ କରିବେ ମୋଦୀ । ଏହା ପରେ ୧୧ଟା ୪୫ ମିନିଟରେ ପଥରଚେପା ପଡ଼ିଆରେ ଆୟାଜିତ ଏକ ସାଧାରଣ ସଭାରେ ଯୋଗ ଦେବେ । ସେଠାରୁ ସେ ଝାରସୁଗୁଡ଼ା ଯାଇ ଅପରାହ୍ନ ୧ଟା ୪୫ ମିନିଟରେ କେରଳ ଯିବା କାର୍ୟ୍ୟ କ୍ରମ ରହିଛି।