ନିତିନଙ୍କ ନୂଆ ଟିମରେ ୨ ଓଡ଼ିଆ

ନୂଆଦିଲ୍ଲୀ, ୧୮/୦୮ : ଭାରତୀୟ ଜନତା ପାର୍ଟିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି । କିଛି ପୁରୁଖା ନେତାଙ୍କ ସ୍ଥାନ ବଜାୟ ରହିଥିବାବେଳେ ନୂଆ ଚେହେରା ମଧ୍ୟ ନିତିନଙ୍କ ଟିମରେ ସାମିଲ ହୋଇଛନ୍ତି । ଏହା ସହିତ କିଛି ପୁରୁଣା ନେତାଙ୍କୁ ପୁଣି ଦଳର ପଦପଦବୀରେ ଅବସ୍ଥାନ କରାଯାଇଛି । ଯେଉଁମାନଙ୍କୁ ନେଇ ଦଳର ଆଗାମୀ ରଣନୀତି ପ୍ରସ୍ତୁତ ହେବେ । ନିତିନ ନବୀନ ନୂତନ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗ୍ରହଣ କରିବା ପରେ ଏହା ପ୍ରଥମ ବଡ଼ ଧରଣର ସାଙ୍ଗଠନିକ ଅଦଳବଦଳ ଅଟେ । ବିଜେପି ପକ୍ଷରୁ ୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ), ୨ ଜଣ ରାଷ୍ଟ୍ରୀୟ ସହ ସମ୍ପାଦକ (ସଂଗଠନ), ୮ ଜଣ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ୧୬ ରାଷ୍ଟ୍ରୀୟ ସମ୍ପାଦକ, ଜଣେ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଏବଂ ଜଣେ ରାଷ୍ଟ୍ରୀୟ ଯୁଗ୍ମ କୋଷାଧ୍ୟକ୍ଷ ଏବଂ ବିଭିନ୍ନ ଜୋନର ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ନିତିନଙ୍କ ଟିମରେ ଦୁଇ ଜଣ ଓଡ଼ିଆ ନିଜର ସ୍ଥାନ ବଜାୟ ରଖିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରେ ପୁନର୍ବାର ଭରସା କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଦାନ କରାଯାଇଥିବାବେଳେ ପୁରୀ ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବ ଜୋନର ସଂଯୋଜକ ଦାୟିତ୍ୱ ସମ୍ଭାଳିବେ ।

ବିଜେପି ମହିଳା ନେତୃତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଛି । ଦଳ ପକ୍ଷରୁ ପ୍ରକାଶିତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ୬ ଜଣ ମହିଳା ନେତ୍ରୀ ଥିବାବେଳେ ୭ ଜଣ ପୁରୁଷ ରହିଛନ୍ତି । ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ବସୁନ୍ଧରା ରାଜେ, ତିରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ପଣ୍ଡା, ଡି ପୁରୁନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ର ଭାଇ ଦୋଷୀ, ଭାରତୀ ପ୍ରବୀଣ ପାୱାର, ସର୍ଦ୍ଦାର ମନପ୍ରୀତ ସିଂହ ବାଦଲ, ଲାଲ ସିଂହ ଆର୍ଯ୍ୟ, ପ୍ରଫେସର ଏମ୍ ନାଗରାଜ, ପ୍ରଫେସର ତାରିକ ମନସୁର ଏବଂ ଡାକ୍ତର ମଧୁଚନ୍ଦ୍ର କର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ।

ଦିଲ୍ଲୀ ବିଜେପିର ଶ୍ରୀ ବି.ଏଲ୍ ସନ୍ତୋଷ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ହୋଇଛନ୍ତି । ସେହିପରି ଶ୍ରୀ ଶିବପ୍ରକାଶ ଏବଂ ଶ୍ରୀ ସୌଦାନ ସିଂହଙ୍କ ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ମିଳିଛି । ସେହିପରି ବିନୋଦ ତାୱାଡେ, ସୁନିଲ ବଂଶଲ, ବିପ୍ଳବ କୁମାର ଦେବ, ସ୍ମୃତି ଈରାନୀ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଏବଂ ସଞ୍ଜୟ ଭାଟିଆଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଭାରତୀୟ ଜନତା ପାର୍ଟିର ଜାତୀୟ ଦଳର ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦଳ ଅଭିଜ୍ଞତା ଏବଂ ଶକ୍ତିର ମିଶ୍ରଣ ବୋଲି ସେ କହିଛନ୍ତି । ଏହି ଦଳ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସଂଗଠନକୁ ନୂତନ ଗତି ଦେବ । ପ୍ରତ୍ୟେକ ସଦସ୍ୟ, ଏକ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କ ମନୋଭାବ ସହିତ, ‘ବିକଶିତ ଭାରତ’ର ସଂକଳ୍ପ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧତାକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ସଂଗଠନକୁ ଆହୁରି ମଜବୁତ କରିବେ ବୋଲି ନିତିନ ନବୀନ ଆଶାବ୍ୟକ୍ତ କରିଛନ୍ତି ।