ଇଣ୍ଡିଗୋ ବିମାନ ଉଡ଼ାଇବାକୁ ଧମକ

ନୂଆଦିଲ୍ଲୀ, ୧୫/୧୨ : ମୁମ୍ବାଇରୁ ଦିଲ୍ଲୀ ଦେଇ ଲକ୍ଷ୍ନୌ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ବମ୍‌ ରହିଥିବା ଧମକ ମିଳିବା ପରେ ଶନିବାର ଉଡାଣ ଭରିବା ବେଳେ ବିମାନକୁ ଅଟକାଇ ଦିଆଯାଇଛି । ବମ୍‌ର ଧମକ ଆକଳନ ସମିତି (ବିଟିଏସି)ଏହି ଧମକ୍‌କୁ ଗମ୍ଭୀରତା ପୂର୍ବକ ନେବାରୁ ବିମାନର ଉଡାଣକୁ ରୋକି ଦିଆଯାଇଥିଲା ଏବଂ ଏହାକୁ ଏକ ଖାଲି ସ୍ଥାନରେ ଅବତରଣ କରାଯାଇଥିଲା । ତେବେ ଏହା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ବିମାନକୁ ସୁରକ୍ଷିତ ଘୋଷଣା କରାଯାଇଥିଲା । ଅନ୍ୟ ପକ୍ଷରେ ଏବେ ସୁଦ୍ଧା ଏହି ଘଟଣାକୁ ନେଇ ଇଣ୍ଡିଗୋର ପ୍ରତିକ୍ରିୟା ମିଳିପାରି ନାହିଁ । ଇଣ୍ଡିଗୋ ଫ୍ଲାଇଟ ୬ଇ ବିମାନଟି ଶନିବାର ସକାଳ ୬ ଟା ୫ ମିନିଟରେ ମୁମ୍ବାଇରୁ ଉଡାଣ ଭରିବାର ଥିଲା । ତେବେ ଏହି ସମୟରେ ‘ଗୋ ଏୟାର ପ୍ଲାଇଟ ଜି-୮ ୩୨୯ରେ ଦିଲ୍ଲୀ ଯାଉଥିବା ଏକ ମହିଳା ଯାତ୍ରୀ ଟି-୧ ରେ ହେଉଥିବା ଇଣ୍ଡିଗୋର ଚେକ-ଇନ କାଉଂଟରରେ ପହଁଚି ଇଣ୍ଡିଗୋ ଫ୍ଲାଇଟ ୬ଇରେ ବୋମା ଅଛି ବୋଲି କହିଥିଲେ । ଏହା ପରେ ଏହି ଘଟଣାକୁ ଆଖିରେ ରଖି ବିମାନକୁ ଉଡାଣ ଭରିବାରୁ ତୁରନ୍ତ ରୋକା ଯାଇଥିଲା । ତେବେ ଏହି ମହିଳା ଯାତ୍ରୀ ଜଣକ କିଛି ଲୋକଙ୍କ ଫଟୋ ଦେଖାଇ ଏମାନେ ଦେଶ ପାଇଁ ବିପଦ ଥିବା ଦାବି କରିଥିଲେ । ଏହା ପରେ ସିଆଇଏସଏଫର କର୍ମାମାନେ ତାଙ୍କୁ ପଚରା ଉଚରା କରିବା ପାଇଁ ବିମାନ ବନ୍ଦର ଥାନାକୁ ନେଇଯାଇଥିଲେ ।