ଭୁବନେଶ୍ୱର,୧୮/୪: ଓଡ଼ିଶା ପାଇଁ ଖୁସି ଖବର ଆସିଛି । ଗତ ୩ ଦିନରେ ରାଜ୍ୟରେ ଯେତିକି ନମୂନା ପରୀକ୍ଷା କରାଯାଇଛି ସବୁ ନେଗେଟିଭ ଆସିଛି । ଯାହା ରାଜ୍ୟବାସୀଙ୍କ ମନରେ କରୋନା ଭୟ ସାମାନ୍ୟ ଦୂର କରିଛି ।
ସାରା ବିଶ୍ୱରେ ମହାମାରୀ କରୋନାକୁ ନେଇ ଆତଙ୍କ । ଆମ ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ପାଉଛି । ତେବେ ଓଡ଼ିଶାରେ ଗତ ତିନି ଦିନରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଏହି ତିନି ଦିନରେ ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ୍ ଆସିଛି।
୧୫ ତାରିଖ ରାଜ୍ୟରେ ମୋଟ ୧,୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ୧୬ ତାରିଖରେ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା। ସେହିପରି ଗତକାଲି ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।