ନୂଆଦିଲ୍ଲୀ, ୨୩/୧୦ : କିଛିଦିନ ଦଳେ ବଲିଉଡ ଷ୍ଟାର ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା ପରେ ଏବେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଓ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କୁ ବୋମା ଧମକ ମିଳିଛି । ମୁମ୍ବାଇର ମେୟର ରିତୁ ତାୱଡେଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିବା ପୋଲିସ କହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲରେ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ସ୍ଥିତ ଜଲସା ବଙ୍ଗଳାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହା ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାର୍ ର ପ୍ରତିଶୋଧ ବୋଲି ଇମେଲରେ ଦାବି କରାଯାଇଛି । ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ଆକ୍ରମଣ ହୋଇପାରେ ବୋଲି ଧମକ ଦିଆଯାଇଛି ।
ଏହି ଇମେଲରେ ଦିଲଜିତ୍ ଦୋସାଞ୍ଜଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଅମିତାଭ ବଚ୍ଚନଙ୍କ ପାଦ ଛୁଇଁଥିବା ଘଟଣାକୁ ଏହାର କାରଣ ଭାବେ ଦର୍ଶାଯାଇଛି । ନଭେମ୍ବର ୨୭ରେ ମୁମ୍ବାଇର ମହାଲକ୍ଷ୍ମୀ ରେସକୋର୍ସରେ ଦିଲଜିତଙ୍କ ଉପରେ ବୋମା ଓ ଆତ୍ମଘାତୀ ଆକ୍ରମଣ କରିବାର ଧମକ ଦିଆଯାଇଛି । ତେବେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ ।