ଭୁବନେଶ୍ୱର, ୧୯/୦୮ : ଓଡ଼ିଶା ସହ ୪ ରାଜ୍ୟରେ ରେଳ ସମ୍ପ୍ରସାରଣ । ୯ହଜାର ୪୫୦ କୋଟିର ୪ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି । ଖଡ଼ଗପୁର–ଭଦ୍ରକ, ଭଦ୍ରକ–ହରିଦାସପୁର ଓ କଟକ–ପାରାଦୀପ କରିଡର ସାମିଲ; ୪୧୦ କିମି ବଢ଼ିବ ରେଳ ନେଟୱର୍କ । ଦେଶର ଚାରିଟି ରାଜ୍ୟରେ ରେଳ ନେଟୱର୍କର କ୍ଷମତା ବୃଦ୍ଧି ପାଇଁ ଚାରିଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ବ୍ୟୟ ୯ହଜାର ୪୫୦ କୋଟି । ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି । ଚାରିଟି ପ୍ରକଳ୍ପ ୮ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ ଏବଂ ୨୦୩୦-୩୧ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୧୭୩ କିମି ଖଡ଼ଗପୁର–ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ୍, ଓଡ଼ିଶାରେ ୭୫ କିମି ଭଦ୍ରକ–ହରିଦାସପୁର ୪ର୍ଥ ଲାଇନ୍ ଏବଂ ୭୨ କିମି କଟକ–ପାରାଦୀପ (ବଡ଼ବନ୍ଧ) ୩ୟ ଓ ୪ର୍ଥ ଲାଇନ୍ ରହିଛି । ଏହାସହ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୯୦ କିମି ଗୁମ୍ମିଡିପୁଣ୍ଡି–ଗୁଡୁର ୩ୟ ଓ ୪ର୍ଥ ଲାଇନ୍ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି । ଚାରିଟି ପ୍ରକଳ୍ପ ମଧ୍ୟରୁ ତିନିଟି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଓଡ଼ିଶାରେ ରହିଛି । ଖଡ଼ଗପୁର–ଭଦ୍ରକ ଏବଂ ଭଦ୍ରକ–ହରିଦାସପୁର ସେକ୍ସନ ବ୍ୟସ୍ତବହୁଳ ହାୱଡ଼ା–ଚେନ୍ନାଇ ମୁଖ୍ୟ ରେଳପଥର ଅଂଶ। ସେହିପରି କଟକ–ପାରାଦୀପ କରିଡର ପାରାଦୀପ ବନ୍ଦର ସହ ରେଳ ସଂଯୋଗ ଏବଂ କୋଇଲା, ଲୁହାପଥର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏକ ପ୍ରମୁଖ ମାର୍ଗ । ରେଳ ମନ୍ତ୍ରଣାଳୟ ଅନୁସାରେ, ଅତିରିକ୍ତ ରେଳ ଲାଇନ୍ ନିର୍ମାଣ ଦ୍ୱାରା ବ୍ୟସ୍ତ କରିଡରଗୁଡ଼ିକରେ ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବ । ଏହା ଯାତ୍ରୀ ଓ ମାଲବାହୀ ଟ୍ରେନ୍ ଚଳାଚଳକୁ ସୁଗମ କରିବା ସହ ଯାତ୍ରା ଓ ପରିବହନ ସମୟ ହ୍ରାସ ଏବଂ ଲଜିଷ୍ଟିକ୍ସ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ କରାଯାଉଛି ।