ଭୁବନେଶ୍ୱର, ୧୯/୦୮ : ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ସୁଭଦ୍ରା ଯୋଜନାର ୫ମ କିସ୍ତିକୁ ନେଇ ରାଜ୍ୟର ଲକ୍ଷାଧିକ ମହିଳା ଅପେକ୍ଷାରେ ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା କରାଯିବ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ପଠାଯିବ। ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଏହି ଉପଲକ୍ଷେ ନୟାଗଡ଼ରେ ଏକ ଭବ୍ୟ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ଅବସରରେ ରାଜ୍ୟର ୧ କୋଟିରୁ ଅଧିକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାର ନିୟମାବଳୀ ଅନୁଯାୟୀ, ରାଜ୍ୟର ଯୋଗ୍ୟ ମହିଳାମାନଙ୍କୁ ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ପାଇଁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଯେଉଁ ଯୋଗ୍ୟ ହିତାଧିକାରୀମାନେ ପ୍ରଥମ ଥର ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ମଧ୍ୟ ଏହି ଦିନ ଟଙ୍କା ମିଳିବ। ଏହିପରି ନୂତନ ଆବେଦନକାରୀମାନଙ୍କୁ ପୂର୍ବ କିସ୍ତି ସହିତ ମୋଟ ୫ଟି କିସ୍ତିର ବକେୟା ଟଙ୍କା ଏକାସାଙ୍ଗରେ ମିଳିବ ବୋଲି ସୂଚନା ମିଳିଛି। ରକ୍ଷାବନ୍ଧନର ଶୁଭ ଅବସରରେ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ପାଇଁ ସୁଭଦ୍ରା ଯୋଜନାର ଅର୍ଥ ପ୍ରଦାନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।