ଓଡିଶା ଆସିବେ ବିଜେପିର ଷ୍ଟାର ପ୍ରଚାରକ ରାଜନାଥ ଓ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୮/୨: ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ମାନେ ନିଜର ଟ୍ରମ୍ପ କାର୍ଡ ଗୁଡିକୁ ଖୋଲିବାରେ ଲାଗିଲେଣି । ଆସନ୍ତା ନିର୍ବାଚନରେ ସବୁ ଜାତୀୟ ଦଳର ଫୋକସରେ ଓଡିଶା ଉପରେ ରହିଛି । ଓଡିଶାକୁ ହାତେଇବା ରେସରେ ବିଜେପି ବହୁ ଆଗରୁ ତାର ରଣନୀତି ଆରମ୍ଭ କରିସାରିଛି । ଓଡିଶାକୁ ହାତେଇବା ପାଇଁ ବିଜେପି ତାର ବହୁ ହେବିୱେଟ ନେତାଙ୍କୁ ମଇଦାନକୁ ଓହ୍ଲାଉଛି । ରାଜ୍ୟରେ ବିଜେପି ତାର ରାଷ୍ଟ୍ରୀୟ ସ୍ତରୀୟ ଅଧିବେଶନ ମଧ୍ୟ କରୁଛି । ବିଜେପି ପାଇଁ ଓଡିଶା କେତିକି ଗୁରୁତ୍ୱପୂର୍ଣ୍ଣ ରହିଛି ଏଥିରୁ ସ୍ପଷ୍ଟ ବାରି ହେଉଛି ।

ଆଗାମୀ ଦିନରେ ବିଜେପି ନିଜ ଦଳର ଷ୍ଟାର ପ୍ରଚାରକ ମାନଙ୍କ ରାଲି ଓଡିଶାରେ କରିବାକୁ ଯାଉଛି । ଏପରି ସ୍ଥିତିରେ ଓଡିଶାରେ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ସୁଅ ଛୁଟିବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ୟୁପୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ମନୋଜ ସିହ୍ନା ଓଡିଶାରେ ରାଲି କରିବେ । ଆସନ୍ତା ୧୭ ତାରିଖରେ ଉତ୍ତର ଓଡିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସେହିପରି କଳାହାଣ୍ଡି ଗସ୍ତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବେ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ।

ଆଜିଠାରୁ ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପି ପରିବର୍ତ୍ତନ ସଭା କରିବାକୁ ଯାଉଛି । ମାର୍ଚ୍ଚ ୨ ପର୍ଯ୍ୟନ୍ତ ସବୁ ବିଧାନସଭା କ୍ଷେତ୍ରରେ ଏହି ପରିବର୍ତ୍ତନ ସଭା କରାଯିବ ।
ସେପଟେ ପୁଣି ଓଡିଶା ଗସ୍ତରେ ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଚଳିତମାସ ଶେଷ ସପ୍ତାହରେ ଓଡିଶା ଆସିବେ ରାହୁଲ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ନିର୍ଦ୍ଦିଷ୍ଟ ତାରିଖ ଏବଂ ସ୍ଥାନ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।