ପାଟଣାଗଡ଼ରୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ପରେ ପୁଞ୍ଜିଲାଲଙ୍କ ବୟାନ : ଜେଲରେ ଦିଆଯାଉଥିଲା ନିର୍ଯାତନା

ପାଟଣାଗଡ଼,୮/୨: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ସବ୍‌ଜେଲରୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପରେ ପୁଞ୍ଜିଲାଲ ଗଣମାଧ୍ୟମକୁ କହିଛନ୍ତି ଯେ, ପାଟଣାଗଡ଼ ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହା ସହ ସେ ଗୁରୁବାରଠାରୁ ଅନଶନରେ ଥିବା ମଧ୍ୟ କହିଛନ୍ତି। ପାଟଣାଗଡ଼ ଜେଲରୁ କଏଦୀ ଚମ୍ପଟ ଘଟଣାକୁ ସେ ଖଣ୍ଡନ କରିଛନ୍ତି। ପ୍ରକାଶ ଯେ, ଗତ ୨୪ ତାରିଖରେ ପାଟଣାଗଡ଼ ଉପକାରାଗାରରୁ କେତେ ଜଣ କଏଦୀ ଚମ୍ପଟ ମାରିବାର ଯୋଜନା କରିଥିବା ଖବର ମିଳିଥିଲା। ସେଥିରେ ପୁଞ୍ଜିଲାଲଙ୍କ ଭୂମିକା ରହିଥିବା ଜେଲ କର୍ତ୍ତୃପକ୍ଷ କହିଥିଲେ। ଏ ନେଇ ପାଟଣାଗଡ ଜେଲ ଅଧୀକ୍ଷକ ପ୍ରଦୀପ କୁମାର ମହାଲିକ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ନିକଟରେ ପୁଞ୍ଜିଲାଲଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ।