ନୂଆଦିଲ୍ଲୀ,୧୭/୪: କରୋନା ଭାଇରସ ଯୋଗୁଁ ଶୁକ୍ରବାର (୨୦୨୦ ଏପ୍ରିଲ ୧୭ ତାରିଖ) ସକାଳ ୯ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧ ଲକ୍ଷ ୪୫ ହଜାର ୫୨୧ ଜଣଙ୍କ ମୃତ୍ୟୁ ହୋଇସାରିଛି । ଚୀନରୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ୨୧ ଲକ୍ଷ ୮୨ ହଜାର ୧୯୭ ଜଣ ସଂକ୍ରମିତ ହୋଇଛନ୍ତି । ସେଥିରୁ ୫ ଲକ୍ଷ ୪୭ ହଜାର ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଲକ୍ଷ ୮୯ ହଜାର ୩୮୧ ଜଣଙ୍କ ଚିକିତ୍ସା ଜାରି ରହିଛି । ଏବେବି ୫୬ ହଜାର ୫୮୮ ଜଣ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଆମେରିକା, ସ୍ପେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଆଦି ଦେଶ ଗୁଡ଼ିକରେ ସ୍ଥିତି ଉଦବେଗ ଜନକ । ଆମେରିକାରେ ୩୪ ହଜାର ୬୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷ ୭୭ ହଜାର ୫୭୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଚନ୍ତି । ସ୍ପେନରେ ୧ ଲକ୍ଷ ୮୩ ହଜାର ୯୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୨ ହଜାର ୧୭୦ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୬୮ ହଜାର ୯୪୧ ଜଣ । ଫ୍ରାନ୍ସରେ ୧୭ ହଜାର ୯୨୦ ଓ ବ୍ରିଟେନରେ ୧୩ ହଜାର ୭୨୯ ଜଣଙ୍କ ମୃତ୍ୟୁ ହୋଇଛି ।
ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୫୯ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୮୨୪ଟି ସକ୍ରିୟ ସଂକ୍ରମଣ ମାମଲା ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୨୦ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୧୫୧୪ ଜଣ କରୋନା କବଳରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବାନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।