ବେଙ୍ଗାଲୁରୁ,୬/୯: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ) ନେତା ଏଚଡି କୁମାରସ୍ୱାମୀଙ୍କ ପାଇଁ ଦିନକୁ ଦିନ ଅଧିକ ଅଡୁଆ ପରିସ୍ଥିତି ଦେଖାଯାଉଛି । ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଏଚଡି କୁମାରସ୍ୱାମୀଙ୍କୁ ପଚରାଉଚରା ପାଇଁ ନୋଟସି ଜାରି କରିଛନ୍ତି । କୁମାରସ୍ୱାମୀଙ୍କ ବ୍ୟତୀତ ଅନ୍ୟ ୧୫ ଜଣଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏମାନଙ୍କ ବିରୋଧରେ ବେଆଇନ ଭାବେ ରାଜ୍ୟ ସରକାର ପ୍ରକଳ୍ପର ଜମିର ଅଧିସୂଚନା ଫେରାଇ ନେବା ଅଭିଯୋଗ ରହିଛି । କୋର୍ଟ କୁମାରସ୍ୱାମୀଙ୍କୁ ଅକ୍ଟୋବର ୪ରେ ପଚରାଉଚରା କରିବେ ।
ସୂଚନାଯୋଗ୍ୟ ୨୦୧୨ରେ ଚାମରାଜନଗର ଜିଲ୍ଲାର ସନ୍ଥେମାରାହଲ୍ଲୀ ନିବାସୀ ଏମ ମହାଦେବ ସ୍ୱାମୀ ଲୋକାୟୁକ୍ତଙ୍କ ଆଗରେ କୁମାରସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ୨୦୦୭ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥାଇ କୁମାରସ୍ୱାମୀ ବେଙ୍ଗାଲୁରୁ ଉନ୍ନୟନ ପ୍ରାଧିକରଣର ଜମିର ଅଧିସୂଚନା ଫେରାଇ ନେଇଥିଲେ । ଚଳିତ ବର୍ଷ ଜୁଲାଇ ୨୦ରେ ସ୍ୱତନ୍ତ୍ର ଜଜ ରାମଚନ୍ଦ୍ର ଡି ଡୁଡ୍ଡାର ଏହି ମାମଲାରେ ଲୋକାୟୁକ୍ତଙ୍କ ‘ବି’ ରିପୋର୍ଟ ଅପର୍ଯ୍ୟାପ୍ତ ସାକ୍ଷ୍ୟ ଆଳ ଦେଖାଇ ଅସ୍ୱୀକାର କରି ଦେଇଥିଲେ ।