ନୂଆଦିଲ୍ଲୀ, ୦୧/୦୭ : ତାମିଲନାଡୁରେ ଗୋ-ହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ମାମଲା ଏବେ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ମାଡ୍ରାସ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପ୍ରସିଦ୍ଧ ଅଭିନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ହାଇକୋର୍ଟ ନିଜ ସୀମା ବାହାରକୁ ଯାଇ ଏହି ଆଦେଶ ଦେଇଛନ୍ତି, ଯାହା ରାଜ୍ୟର ବିଦ୍ୟମାନ ଆଇନର ବିରୋଧାଚରଣ କରୁଛି।
ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ କହିଛନ୍ତି ଯେ, ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲା କେବଳ ‘ସାଧାରଣ ସ୍ଥାନରେ ଗୋ-ହତ୍ୟା ରୋକିବା’ ପାଇଁ ଥିଲା। କିନ୍ତୁ କୋର୍ଟ ସାରା ରାଜ୍ୟରେ ଏବଂ ସରକାରୀ ପଞ୍ଜୀକୃତ କସେଇଖାନା ଗୁଡ଼ିକରେ ମଧ୍ୟ ଗୋ-ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଦେଇଛନ୍ତି। ସରକାରଙ୍କ କହିବା କଥା ଯେ, ଏଭଳି ସମ୍ପୂର୍ଣ୍ଣ ବ୍ୟାନ ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ।
ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ, ରାଜ୍ୟରେ ପୂର୍ବରୁ ‘ତାମିଲନାଡୁ ପଶୁ ସଂରକ୍ଷଣ ଆଇନ, ୧୯୫୮’ ଲାଗୁ ରହିଛି। ଏହି ଆଇନ ଅନୁଯାୟୀ, ରାଜ୍ୟରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନାହିଁ, ବରଂ ଗୋ-ହତ୍ୟାକୁ ନିୟନ୍ତ୍ରିତ କରାଯାଇଛି। ଏହି ଆଇନ ଅନୁସାରେ, ଯଦି କୌଣସି ଗାଈ ବା ଗୋରୁଙ୍କ ବୟସ ୧୦ ବର୍ଷରୁ ଅଧିକ ହୋଇଥାଏ ଏବଂ ସେମାନେ କାମ କରିବା କିମ୍ବା ବଂଶବୃଦ୍ଧି ପାଇଁ ଅକ୍ଷମ ହୋଇଥାନ୍ତି, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ନେଇ ସେମାନଙ୍କୁ ହତ୍ୟା କରାଯାଇପାରିବ।