ପାକିସ୍ତାନକୁ କଡ଼ା ଜବାବ : ବେଲୁଚିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ

ନୂଆଦିଲ୍ଲୀ, ୦୨/୦୭ : ଆଫଗାନ ତାଲିବାନ ବାହିନୀ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ, ଆଫଗାନିସ୍ତାନ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଇଏସଆଇଏସ ଘାଟି ଉପରେ ଆକ୍ରମଣ କରିଛି, ଯେଉଁଥିରେ ଅନେକ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାରେ ସଂଘର୍ଷ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖାୱା ପ୍ରଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଆଡ୍ଡା ଉପରେ ଏହି ଆକ୍ରମଣ କରାଯାଇଛି। ଏଥିରେ କୋଣସି ସାଧାରଣ ନାଗରିକ ମୃତାହତ ହୋଇ ନାହାନ୍ତି ବୋଲି ଆଫଗାନିସ୍ତାନ କହିଛି। ଅନ୍ୟପକ୍ଷରେ ପାକିସ୍ତାନୀ ସେନା କହିଛି ଯେ, ସେମାନେ ସୀମା ପାରରୁ ଆସିଥିବା ଚାରିଟି ଡ୍ରୋନ୍‌କୁ ଖସାଇ ଦେଇଛନ୍ତି। ପାକିସ୍ତାନ ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛି ଏଭଳି ଆଉ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଏହାର ଉଚିତ୍ ଜବାବ ଦିଆଯିବ। ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ସ୍ୱାକ୍ଷରିତ ହୋଇଥିଲେ ସୁଦ୍ଧା ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁ ନାହିଁ।