ଭୁବନେଶ୍ୱର, ୩/୧: ଓଡ଼ିଶାରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାରଙ୍କ ବିଫଳତା ବିରୋଧରେ ରାଜ୍ୟ ଭାରତୀୟ ଜନତା ପାର୍ଟୀ ଆରମ୍ଭ କରିଥିବା ‘ଜବାବ ମାଗୁଛି ଓଡ଼ିଶା’ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟର ସ୍ଥାଣୁ, ଅପାରଗ, ସମ୍ବେଦନହୀନ ଓ ଦାୟିତ୍ୱହୀନ ସରକାରଙ୍କୁ ଜବାବ ମାଗିବାକୁ ଭିଡ଼ିଓ ଜରିଆରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।
ସୋସିଆଲ୍ ମିଡ଼ିଆରେ ଜାରି ହୋଇଥିବା ଭିଡ଼ିଓରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ୧୯ ବର୍ଷର ଓଡ଼ିଶା ସରକାରର ବିଫଳତାର ଜବାବ ମାଗିବାର ସମୟ ଆସିଛି । ଏ ସରକାର ହେଉଛି ସ୍ଥାଣୁ, ଅପାରଗ, ସମ୍ବେଦନହୀନ ଓ ଦାୟିତ୍ୱହୀନ ସରକାର । ଏହି ସରକାର କବିବର ରାଧାନାଥ ରାୟ ଓ ପଣ୍ଡିତ ଗୋପବନ୍ଧୁଙ୍କ ମଧ୍ୟରେ ଫରକ୍ କ’ଣ ବୁଝେ ନାହିଁ, ବେବିନାର ସମ୍ବେଦନଶୀଳତାକୁ ବୁଝେ ନାହିଁ ଓ ଯୁବକ ବ୍ୟବସାୟ ପାଇଁ ବାହାର ରାଜ୍ୟକୁ ପଳାୟନ କଲେ ଯାହାକୁ ଫରକ୍ ପଡ଼େ ନାହିଁ । ସେହିପରି ଲୋକଙ୍କୁ ମୁନ୍ଦାଏ ଶୁଦ୍ଧ ପିଇବା ପାଣି ଯୋଗାଇ ଦେଇ ପାରି ନାହାଁନ୍ତି । ଧାନ ବିକ୍ରି ପାଇଁ ମଣ୍ଡି ଖୋଲିପାରେ ନାହିଁ ସିଏ ସରକାରଙ୍କୁ ଓଡ଼ିଶାର ଯୁବ, ମହିଳା, ଚାଷୀ ଆଜି ଜବାବ ମାଗିବେ ବୋଲି କହିଛନ୍ତି । ଟୋଲ୍ ଫ୍ରି ନମ୍ବର ୯୫୫୫୨୨୭୨୨୭ରେ ମିସ୍ଡ କଲ୍ କରି ନିଜର ଅଭିଯୋଗ ଦାଖଲ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।