ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ହେବାରୁ ଚାଇନାର ତୀବ୍ର ସମାଲୋଚନା

ବେଜିଂ,୩୧/୧୦: ଭାରତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଆଜିଠାରୁ ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣିତ ହୋଇଛନ୍ତି। ତେବେ ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନର ବନ୍ଧୁ ଚାଇନା ତୀବ୍ର ସମାଲୋଚନା କରିଛି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି, “ଭାରତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଣତ କରିବା ବେଆଇନ୍‌। ଭାରତ ସରକାର ଏପରି କରି ଚାଇନାର କିଛି ଅଞ୍ଚଳକୁ ମଧ୍ୟ ଜୋରଜବରଦସ୍ତି ନିଜ ପ୍ରଶାସନିକ ସୀମାରେ ଅନ୍ତର୍ଭୁକ୍ତ କରିଛନ୍ତି।

ଚାଇନା ପୂର୍ବରୁ ଏବଂ ଏବେ ମଧ୍ୟ ଏହାକୁ ବିରୋଧ କରୁଛି। ଭାରତ ନିଜ ଇଚ୍ଛା ଅନୁସାରେ ନିଜ ଭୌଗଳିକ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରି ଚାଇନାର ସାର୍ବଭୌମତାକୁ ମଧ୍ୟ ଚ୍ୟାଲେଞ୍ଜ କରିଛି। ଆମେ କେବେ ହେଲେ ଭାରତ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଗ୍ରହଣ କରିବୁ ନାହିଁ।

ଯେଉଁ ଅଞ୍ଚଳ ଚାଇନା ଅଧୀନରେ ରହିଥିଲା, ତା’କୁ ଭାରତ ସରକାର କେବେ ହେଲେ ନେଇ ପାରିବେ ନାହିଁ। ଚାଇନା ସରକାର ଏବେ ବି ଭାରତକୁ ଚାଇନାର ସାର୍ବଭୌମତକୁ ସମ୍ମାନ ଦେବାକୁ ପରାମର୍ଶ ଦେଉଛନ୍ତି।”