ଭୁବନେଶ୍ୱର: ନଭେମ୍ବର ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭହେବ ପୁରୁଷ ହକି ବିଶ୍ୱକପ୍ । ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ପାଇଁ ଆଜି ଷ୍ଟାଡିୟମର ୯ ନମ୍ବର ଗେଟ୍ କାଉଣ୍ଟରରେ ଟିକେଟ ବିକ୍ରି ହେବାର ଥିଲା । ଏଥି ପାଇଁ ଉତ୍ସାହିତ ହକିପ୍ରେମୀ ସକାଳୁ ଧାଡିରେ ଠିଆହୋଇଥିଲେ । ହେଲେ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇନଥିଲା । ତେବେ ଏହାକୁ ପ୍ରତିବାଦ କରି କେତେକ କ୍ରୀଡ଼ାପ୍ରେମୀ ଷ୍ଟାଡିୟମରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ୧୫ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍ କାଉଣ୍ଟରରେ ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି କରାଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଏହାର ଦାମ ୫୦୦ ଟଙ୍କା ରହିଥିବା ବେଳେ ହକିପ୍ରେମୀ ଗତକାଲି ରାତିଠାରୁ ଏହି କାଉଣ୍ଟର ଆଗରେ ଧାଡି ଲଗାଇ ଠିଆ ହୋଇଥିଲେ । ହେଲେ ଟିକେଟ୍ ବିକ୍ରି ନହେବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।